ଭୁବନେଶ୍ବର : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ବିଜେପି । କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ନ ପାରିଥିବା ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି ନାରା ଦେଇ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ସୋମବାର ବିଜେପିର ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଏହି ରାଲି ରାମ ମନ୍ଦିର ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା। ବିଜେପିର କର୍ମୀ ଓ ନେତା ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ କିଛି କର୍ମୀଙ୍କୁ ଅଟକ ରଖିଥିଲା । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନବୀନ ନିବାସ ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଦୀର୍ଘ ୧୦୦ ଦିନ ବିତି ଯାଇଥିବା ବେଳେ ପୀଡ଼ିତାର ଆତ୍ମହତ୍ୟାକୁ ୧୫ ଦିନ ପୂରିଛି । ମାତ୍ର ଏ ପର୍ୟ୍ୟନ୍ତ ପୋଲିସର ହାତ ଖାଲି ପଡ଼ିଛି । ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରି ପ୍ରାଣ ହରାଇଛି ପୀଡ଼ିତା । ୧୯୯୯ ମସିହାର ଅଞ୍ଜନା ମିଶ୍ରଙ୍କ ପରି କୁନ୍ଦୁଲିର ସସ୍ମିତାଙ୍କ ଫରେନ୍ସିକ୍ ରିପୋର୍ଟ ବଦଳାଇ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି । କୁନ୍ଦୁଲି ପୀଡ଼ିତାରେ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ନିଜ ଗାଦି ଛାଡ଼ନ୍ତୁ ବୋଲି ବିଜେପି ଦାବି କରିଛି ।