ଭୁବନେଶ୍ୱର : କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଛନ୍ତି । ବିଜେଡି କର୍ମୀଙ୍କ ତୁଷ୍ଟୀକରଣ ପାଇଁ ନବୀନ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍ ଆଣିଛନ୍ତି । ଏହା ବିରୋଧରେ ଗ୍ରାମାଞ୍ଚଳରୁ ଲଢ଼େଇ ଆରମ୍ଭ ହେବ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ରାଜ୍ୟରେ ଚାଲିଛି ଅଗଣତାନ୍ତ୍ରିକ ସରକାର । ଏଠି ଖୋଦ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭ୍ରଷ୍ଟାଚାର ଓ ଦୁର୍ନୀତିର ସର୍ଦ୍ଦାର । ରାଜ୍ୟରେ ମା’ ଓ ଭଉଣୀମାନେ ଅସୁରକ୍ଷିତ । ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ସରକାରୀ ଯୋଜନା । ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ କୃଷି ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ଫେଲ୍ । ମୁଖ୍ୟମନ୍ତ୍ରୀ ଆତ୍ମ ପ୍ରଚାରରେ ବ୍ୟସ୍ତ । ବିଭ୍ରାନ୍ତିକର ବୟାନ ଏବଂ ମିଥ୍ୟା ପ୍ରତିଶ୍ରୁତିକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦ୍ୱାରା ପ୍ରଚାର ଚାଲିଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ନୁହେଁ ବରଂ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚାଲିଛି ଶାସକ ବିଜେଡି । ଏବେ ବିଜେଡିକୁ ଗାଦିଚ୍ୟୁତ କରି ‘ସାଫ ନିୟତ୍-ସହି ବିକାଶ’କୁ ମୂଳମନ୍ତ୍ର କରିଥିବା ମୋଦି ସରକାରକୁ ଆପଣେଇବାର ସମୟ ଆସିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି,‘ସରକାରୀ ଚୋରୀ’ କରିବାରେ ଶାସକ ବିଜେଡି ସିଦ୍ଧହସ୍ତ । ସମସ୍ତ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଶାସକ ବିଜେଡି ଅତି ଚତୁରତାର ସହ ଚୋରୀ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ଆବାସ ଯୋଜନା କିମ୍ବା କେବଳ ଆବାସ ଯୋଜନା କରି ମୂଳ ଯୋଜନାର ଚରିତ୍ର ମଧ୍ୟ ବଦଳାଇ ଦେଉଛନ୍ତି । ପଣ୍ଡିତ ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନା ପାଇଁ ଆସିଥିବା ଅନୁଦାନର ୫ ପ୍ରତିଶତ ଅର୍ଥ ମଧ୍ୟ ରାଜ୍ୟ ସରକାର ଖର୍ଚ୍ଚ କରିପାରିନାହାନ୍ତି । କେବଳ କେନ୍ଦ୍ରୀୟ ଅବହେଳାର ଅଭିଯୋଗ କରୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ୩୪ ଲକ୍ଷ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର କେଉଁଠୁ ପାଇଲେ ବୋଲି ଶ୍ରୀ ଷଡ଼ଙଙ୍ଗୀ ପ୍ରଶ୍ନ କରିଛନ୍ତି । ଦୀର୍ଘ ୧୮ ବର୍ଷର ଶାସନ ବର୍ତ୍ତମାନର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କେବଳ ବିଜେଡି କର୍ମୀଙ୍କ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ମାଆ,ଭଉଣୀମାନଙ୍କ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଉଜ୍ଜଲା ଯୋଜନାକୁ ନିନ୍ଦା କରି ବିଜେଡି ମନ୍ତବ୍ୟ ଦେବା ଲଜ୍ଜାଜନକ । ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ ପ୍ରଚେଷ୍ଟା କାରଣରୁ ଆଜି ଏହି ଉଜ୍ଜଲା ଯୋଜନା ଦେଶ ସମେତ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି । ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସହିନପାରି ରାଜ୍ୟରେ ବିଜେଡି ଏଭଳି ଯୋଜନାକୁ ବିରୋଧ କରିବା ନିନ୍ଦନୀୟ ଓ ଅସହିଷ୍ଣୁତାର ପରିଚୟ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ଏବେଠୁ ବୁଥ ଜଗା ଆରମ୍ଭ ,ପ୍ରତି ବୁଥ୍ ପାଇଁ ଜଣେ କର୍ମକର୍ତା
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଲୋକସଭା କ୍ଷେତ୍ର ପ୍ରଭାରୀଙ୍କର ବୈଠକ ଆୟୋଜିତ ହୋଇଥିଲା । ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା କିପରି ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ରଣନୀତି ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା ହୋଇଛି । ନୂତନ ସଭ୍ୟ ସଂଗ୍ରହ ପାଇଁ ଦୁଇଟି ବୁଥ୍ ପାଇଁ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯିବ । ପ୍ରତି ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ପ୍ରତି ୧୫ ଦିନରେ ଏମାନଙ୍କ ଠାରୁ ରିପୋର୍ଟ ସଂଗ୍ରହ କରାଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାର୍ଗେଟ୍ ପୂରଣ ପାଇଁ ଜୋରଦାର୍ ଉଦ୍ୟମ କରାଯିବ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍, ରାଷ୍ଟ୍ରୀୟ ସଂଗଠନ ସଂପାଦକ ସୌଦାନ ସିଂହ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟ ସରକାରଙ୍କ ଗରିବ ବିରୋଧୀ ଓ ଗରିବମାରଣ ନୀତି ବିରୋଧରେ ଗାଆଁରୁ ଲଢ଼େଇ ଆରମ୍ଭ ହେବାର ନିଷ୍ପତ୍ତି ନିଆଯାଇଛି । ଏପିଏଲ ଓ ବିପିଏଲ୍ ତାଲିକାକୁ ମିଶାଇ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ରାଜ୍ୟରେ ୪୦ ଲକ୍ଷ ଗୃହକୁ ବିଜୁଳି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଚନ୍ତି । ଏହା ଯେପରି ଉପଯୁକ୍ତ କାର୍ଯ୍ୟାନ୍ୱୟନ ହେବ, ସେଥିପାଇଁ ବିଜେପି କର୍ମୀ ଗାଁକୁ ଗାଁ ବୁଲି ସଚେତନ କରିବେ ।