ତାତିଲେ ମହିଳା, ଭୁବନେଶ୍ବର ଓ ପୁରୁଷୋତ୍ତମପୁରେ ଏକାଠି ହେଲେ ମଦ ଦୋକାନ ଭାଙ୍ଗିଲେ

ଭୁବନେଶ୍ବର: ପୁଣି ମଦ ବିରୋଧରେ ତାତି । ଭୁବନେଶ୍ବରର ଭରତପୁରରେ ମଦ ଭାଟି ଭାଂଗିଛନ୍ତି ଲୋକେ । ଶହ ଶହ ଲୋକେ ଏକାଠି ହୋଇ ଭାଟିରେ ପଶି ମଦ ବୋତଲ ଗୁଡ଼ିକୁ ଭାଂଗି ଦେଇଛନ୍ତି । ମଦ ଦୋକାନ ଉାଠାଇବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲା । ମଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଂଖଲା ସ୍ଥିତି ଉପୁଜୁଥିବା ସେମାନେ ଅଭିଯୋଗ କରି ଆସୁଥିଲେ । ଶେଷରେ ଲୋକେ ଆଇକୁ ହାତକୁ ନେଇଛନ୍ତି । ଭରତପୁର ଗାଁର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ହାତରେ ଠେଙ୍ଗା ବାଡ଼ି ଧରି ଚୋରା ମଦ ବିକ୍ରି ହେଉଥିବା ଏକ କ୍ୟାବିନକୁ ଭାଙ୍ଗି ଥିଲେ। ଏପରିକି ମଦ ବୋତଲକୁ ରାସ୍ତାରେ କଚାଡି ଭାଙ୍ଗିଥିଲେ। ପୁନର୍ବାର ମଦ ଦୋକାନ ଖୋଲିଲେ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ଚେତବନୀ ଦେଇଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ସ୍କୁଲ ଓ ମନ୍ଦିର ପାଖରେ ମଦ ଦୋକାନ ଖୋଲା ଯାଇଛି। ଏହାକୁ ବିରୋଧ କରି ଆଜି ଶତାଧିକ ମହିଳା ରାସ୍ତାରୋକ କରିଥିଲେ। ଯାହାଦ୍ୱାରା ପୁରୁଷୋତ୍ତମପୁର-ହୁମା ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଖବରପାଇ ତହସିଲଦାର, ଆଇଆଇସି, ଅବକାରୀ ଇନ୍ସପେକ୍ଟର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ମଦ ଦୋକାନ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଚାଲିବ ବୋଲି ମହିଳାମାନେ ଜିଦ୍‌ ଧରିଥିଲେ। ପରେ ପ୍ରଶାସନ ସେମାନଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଥିଲା। ମଦ ଦୋକାନ ସିଲ୍ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Comments (0)
Add Comment