ନାକଚଣା ଦୁଆରେ ତିନି ରଥ,୩ରେ ବାହୁଡା ଯାତ୍ରା

ପୁରୀ: ଦକ୍ଷିଣମୋଡ଼ ନେଇ ନାକଚଣା ଦୁଆରେ ଆଜି ଲାଗିଛି ନନ୍ଧିଘୋଷ । ଗତ କାଲି ଠାରୁ ଦର୍ପଦଳନ ଓ ତାଳଧ୍ୱଜ ରଥ ଦକ୍ଷିଣମୋଡ ନେଇ ନାକଚଣା ଦୁଆରେ ଲାଗିଥିଲା । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି । ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଯାତ୍ରା ଶେଷ କରି ଆଡ଼ପମଣ୍ଡପରୁ ବାହୁଡ଼ିବେ ସିଂହଦ୍ୱାର ସମ୍ମୁଖକୁ । ତିନିରଥରେ ବିରାଜମାନ କରିଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଥିବା ଠାକୁରମାନେ ନାକଚଣା ଦ୍ୱାର ଦେଇ ବାହୁଡିବେ । ସିଂହଦ୍ୱାର ସମ୍ମୁଖରେ ରଖାଯାଇଥିବା ତିନିରଥରୁ ରଥକୁ ଶରଧାବାଲିସ୍ଥିତ ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି । ଯାହାକୁ ରଥ ଦକ୍ଷିଣମୋଡ଼ କୁହାଯାଏ । ତଦନୁଯାୟୀ ଶୁକ୍ରବାର ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା ଓ ଆଜି ସାନଭାଇ ଜଗନ୍ନାଥଙ୍କ ନନ୍ଧିଘୋଷକୁ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଇଛି । ଗୁଣ୍ଡିଚା ମନ୍ଦିରରେ ଭିତର ଶୋଧ, ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ସାହାଣମେଲା, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ବେଶ ଓ ସକାଳଧୂପ ଶେଷ
ହେବା ପରେ ପୂଜାପଣ୍ଡା ସେବକମାନେ ତିନିଗୋଟି ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ପ୍ରାପ୍ତ ହୋଇତିନିରଥରେ ଲାଗି କରିଥିଲେ । ଆଜ୍ଞାମାଳ ପାଇବା ପରେ ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଥିଲା ।

Comments (0)
Add Comment