ଭୁବନେଶ୍ୱର,(ଓପିଏ): ସିସୋର୍ ଚିଟ୍ଫଣ୍ଡ୍ ସଂସ୍ଥା ସହିତ ସଂପୃକ୍ତି ଅଭିଯୋଗରେ କଟକ-ଚୌଦ୍ୱାର ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫକୁ ନେଇ ବିଜେଡ଼ି ଦଳରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି । ବିଧାୟକଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଉଛି । ତେବେ ଆଜି ବିଧାୟକଙ୍କୁ ସମର୍ଥନ କରି ବିଜେଡ଼ିର ଶତାଧିକ କର୍ମୀ ସିବିଆଇ କାର୍ୟ୍ୟାଳୟରେ ଡେରା ପକାଇଛନ୍ତି ।
ବିଧାୟକ ଗିରଫ ଖବର ପାଇବା ପରେ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ବିଧାୟକଙ୍କ ସମର୍ଥକମାନେ ଆସି ପହଁଚି ଯାଇଛନ୍ତି ସିବିଆଇ କାର୍ୟ୍ୟାଳୟ ଆଗରେ । ବିଜୁ ଛାତ୍ର ଜନତା ଦଳର କର୍ମୀମାନେ କଟକରୁ ଏକ ବାଇକ ରାଲିରେ ଆସି ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ଭିଡ଼ ଜମାଇଛନ୍ତି । ବିଧାୟକଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି ବୋଲି ସମର୍ଥକ ମାନେ କହିଛନ୍ତି । ବିନା ଦୋଷରେ ବିଧାୟକଙ୍କୁ ଗିରଫ କରାଯାଇଥିବା ନେଇ ଛାତ୍ର ବିଜେଡି ସଭାପତି ଚିନ୍ମୟ ଦାସ ଅଭିଯୋଗ କରିଛନ୍ତି । ଆବଶ୍ୟକ ପଡ଼ିଲେ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।