ବଢିବ ବିଜୁଳି ବୋଝ ! କମ୍ପାନୀଙ୍କ ଯୁକ୍ତି , ବଢୁଛି ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚ,ବଢାଅ ବିଦ୍ୟୁତ ଦର

ଭୁବନେଶ୍ବର : ବଢିପାରେ ବିଦ୍ୟୁତ ଶୁଳ୍କ । ଶୁଳ୍କ ବଢାଇବାନେଇ ଓଇଆରସିଙ୍କ ପାଖରେ ଯୁକ୍ତି ବାଢିଛନ୍ତି ଉତ୍ପାଦନକାରୀ ସଂସ୍ଥା ଏବଂ ବଣ୍ଟନ କମ୍ପାନିଙ୍କ । ଏମାନଙ୍କ ଆବେଦନ ଉପରେ ଆରମ୍ଭ ହୋଇଛି ଶୁଣାଣି । ସୋମବାର କମିଶନ ଆଗରେ ଓଏଚପିସି ଏବଂ ଓପିସିଜିସି ସେମାନଙ୍କ ଯୁକ୍ତି ଦର୍ଶାଇଛନ୍ତି । ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚ ବଢ଼ୁଥିବା ହେତୁ ବିଦ୍ୟୁତ ଶୁଳ୍କ ବଢ଼ାଇବା ନିହାନ୍ତି ଦରକାର ବୋଲି କହିଛନ୍ତି। ସେପଟେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ସଂଘ ବିରୋଧ କରିଛି । ପ୍ରଥମ ଦିନରେ ବିଦ୍ୟୁତ ଶୁଳ୍କ ବଢ଼ାଇବା ପାଇଁ ଓପିଜିସି ଏବଂ ଓଏଚପିସି ପ୍ରସ୍ତାବ ଦେଇଛନ୍ତି। ଓପିଜିସି ୧ଟଙ୍କା ୯୮ ପଇସାରୁ ୨ଟଙ୍କା ୨୭ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଓଏଚପିସି ୮୫ ପଇସାରୁ ୯୮ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ଓଏଚପିସିର ଯୁକ୍ତି ଉତ୍ପାଦନ ଖର୍ଚ୍ଚ, ରକ୍ଷାଣବେକ୍ଷଣ ଖର୍ଚ୍ଚ ଏବଂ ସପ୍ତମ ବେତନ କମିଶନ ଅଧାରରେ ଦରାମା ବୋଝ ବିଢ଼ିଛି। ଏପଟେ ସରକାର ଜଳକର ବଢ଼ାଇଛନ୍ତି ତେଣୁ ବିଦ୍ୟୁତ ଶୂଳ୍କ ବଢ଼ିବା ଆବଶ୍ୟକ ରହିଛି।
ବିଦ୍ୟୁତ ଉତ୍ପାଦନୀ କାରୀ ସଂସ୍ଥା ଏବଂ ବଣ୍ଟନ କାରୀ ସଂସ୍ଥାଙ୍କର ଏଭଳି ପ୍ରସ୍ତାବକୁ ଘୋର ବିରୋଧ କରିଛି ଉପଭୋକ୍ତା ମହାସଂଘ । ମହାସଂଘ ଦର୍ଶାଇଛି ରାଜ୍ୟସରକାର ଜଳକର ୧୦ ପ୍ରତିଶତ ଲାଗାଇଛନ୍ତି । ଖାସ ବିଦ୍ୟୁତ ଉତ୍ପାଦନ ପାଇଁ ଜଳ ଭଣ୍ତାରରେ ଜଳ ସ୍ତରକୁ ବଢ଼ାଇଛନ୍ତି । ଓଇଆରସି ୨୦୧୬-୧୭ରେ ଓଏଚପିସିର ଉତ୍ପାଦନ ଓ ପରିଚାଳନା ଖର୍ଚ୍ଚ ୩୧୫ କୋଟି ଧାର୍ଯ୍ୟ କରିଥିଲେ କିନ୍ତୁ ମୋଟ ଖର୍ଚ୍ଚ ହୋଇଛି ୨୫୭ କୋଟି ଟଙ୍କା ୨୦୧୫-୧୬ରେ ମଧ୍ୟ ଧାର୍ଯ୍ୟ ପରିମାଣ ଠାରୁ ୪୬ କୋଟି କମ ଖର୍ଚ୍ଚ ହୋଇଥିଲା। ତେଣୁ ବିଦ୍ୟୁତ ଶୁଳ୍କ କମାଇବା ପାଇଁ ବିଭିନ୍ନ ଉପକୋକ୍ତା ସଂଘ ଯୁକ୍ତି ବାଢ଼ିଛନ୍ତି।
ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକ ବିଦ୍ୟୁତ କ୍ରୟ ବାବଦରେ ୬ହଜାର ୬ଶହ ୨୪କୋଟି ଟଙ୍କା ପଇଠ କରିନାହାନ୍ତି । ଗତ ବର୍ଷ ଓଇଆରସି ପ୍ରଥମ ୫୦ୟୁନିଟକୁ ବାଦ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବଢ଼ାଇଥିଲେ। ଚିଳିତ ବର୍ଷ ବିଦ୍ୟୁତ ଦର ବୃଦ୍ଧି ରାଜ୍ୟର ୪୦ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। ତେବେ ନିଷ୍ପତ୍ତି ଓଇଆରସିଙ୍କ ଉପରେ ନିର୍ଭର କରେ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଶୁଣାଣି ପରେ ଓଇଆରସି ନିଷ୍ପତ୍ତି ନେବ।

Comments (0)
Add Comment