ଭୁବନେଶ୍ବର, ବିଜେପୁର ଉପନିର୍ବାଚନରେ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ପରେ ଗତକାଲି ପୁଣି ଜବତ ହୋଇଛି ୪୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଘଟଣାକୁ ନେଇ ଉଭୟ ବିରୋଧୀ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଆରମ୍ଭ କରିଛନ୍ତି । ଟଙ୍କା ବିଜେଡିର କହି ନିର୍ବାଚନ ଅଧିକାରୀ ପାଖରେ ଫେରାଦ ହୋଇଛି ବିଜେପି । ଆଉ ବିଜେଡିବି ଏହି ଟଙ୍କା ବିଜେପି ଲାଗି ଆସୁଥିଲା କହି ଅନୁରୁପ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଛି । ଏହାକୁ ନେଇ ଯୋର ଧରିଛି ରାଜନିତୀ ।
ବିଜେପୁରେ ଜବତ ଟଙ୍କା କାହାର । ବିଜେପିର ନା ବିଜେଡିର । କାହା ଇଙ୍ଗିତରେ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ନିର୍ବାଚନ ଲାଗି ଏହି ଟଙ୍କା ଆସୁଥିଲା କି ? ବିଜେପୁରର ପଦ୍ମପୁର ମହୁଲପାଲି ଠାରେ ପୋଲିସ ଏକ ଗାଡିରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ପରେ ଏମିତି ପ୍ରଶ୍ନ ସାମନାକୁ ଆସିଛି । ସେପଟେ ଏହି ଟଙ୍କାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଜବତ ହୋଇଥିବା ଟଙ୍କା ବିଜେଡିର ବୋଲି ଅବିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି । ଏହି ଘଟଣାରେ କେବଳ ଲୋକ ଦେଖାଣିଆ ଭାବେ ୨ ଜଣଙ୍କୁ ଗିରଫ କରାଯାଇଛି । ଟଙ୍କା ପଛରେ ଥିବା ସଂପୃକ୍ତ ନେତା ଓ ପଦ୍ମପୁର ଏସଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବିଜେପିର ଅଭିଯୋଗ ପରେ ପରେ ଟଙ୍କା ଜବତ ଘଟଣାରେ ଆଗକୁ ଆସିଛି ବିଜେଡି । ଜବତ ହୋଇଥିବା ଟଙ୍କା ବିଜେପି ଲାଗି ଯାଉଥିଲା ବୋଲି ଆରୋପ ଆଣି ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଅଭିଯୋଗ ଦାଖଲ କରିଛି । ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଯାହାଙ୍କ ଠାରୁ ଟଙ୍କା ଜବତ ହୋଇଛି ସେ ବଜରଙ୍ଗ ଦଳର କର୍ମୀ । ତାଙ୍କ ବାପା ଓମପ୍ରକାଶ ଅଗ୍ରୱାଲ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା । ୨୦୦୮ କନ୍ଧମାଳ ଚର୍ଚ୍ଚ ପୋଡି ମାମଲା ମଧ୍ୟ ଓମ ପ୍ରକାଶଙ୍କ ନାଁରେ ରହିଛି । ଉଭୟ ବିଜେପିର ସଂଗଠନର । ସେମାନେ ବିଜେପି ପାଇଁ କାମ କରନ୍ତି । ଏହି ଟଙ୍କା ବିଜେପି ଲାଗି ଯାଉଥିଲା । ତେଣୁ ସେମାନଙ୍କର ଅଧିକ ଖାନତଲାସ କରାଯାଉ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ହେଉ ।
ଟଙ୍କା ଯାହାଠୁ ଜବତ ହୋଇଛି ସେମାନେ ଜୁଏଲାରୀ ବ୍ୟବସାୟୀ । ତେବେ ଏହି ଟଙ୍କା ସେମାନେ ନିଜ ବ୍ୟବସାୟ ନା ଆଉ କିଛି ଉଦେଶ୍ୟରେ ନେଉଥିଲେ ତାହା ଏଯାଏ ସ୍ପଷ୍ଟ ହୋଇନି । ସେପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଶ୍ବ ହିନ୍ଦୁ ପରିଷଦ । ପରିଷଦର ପଶ୍ଚିମ ପ୍ରାନ୍ତ ଓଡିଶା ସଂଗଠନ ସଂପାଦକ ପ୍ରେସ ବିବୃତିରେ କହିଛନ୍ତି ଟଙ୍କା ଜବତ ଘଟଣାରେ ଅଭିଯୁକ୍ତଙ୍କର ବଜରଙ୍ଗ ଦଳ କି ବିଶ୍ବ ହିନ୍ଦୁ ପରିଷଦ ସହ କୈଣସି ସଂପର୍କ ନାହିଁ ।