ଭୁବନେଶ୍ୱର : ଦାଦାଗିରି । ତାହାପୁଣି ସଚିବାଳୟ ସୁରକ୍ଷାକର୍ମୀଙ୍କ ସହ । ଏପରି ସଂଗୀନ ଅଭିଯୋଗ ଆସିଛି କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝିଙ୍କ ନାଁରେ। ସଚିବାଳୟର ସୁରକ୍ଷା ଭାଙ୍ଗି ଜୋର ଜବରଦସ୍ତ ଭିତରେ ପ୍ରବେଶ କରିଛନ୍ତି। ଏପରିକି ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରଙ୍କୁ ସମର୍ଥନ କରି କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ସୁରକ୍ଷା କର୍ମୀଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରିକି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
କଂଗ୍ରେସ ବିଧାୟକ ଚନ୍ଦ୍ର ଶେଖର ମାଝି ଏକ ସ୍କୁଟିରେ ସଚିବାଳୟ ଯାଉଥିଲେ । ୧ ନମ୍ବର ଗେଟ୍ ଦେଇ ପ୍ରବେଶ ବେଳେ ବାରଣ କରିଥିଲେ ସୁରକ୍ଷାକର୍ମୀ । କହିଥିଲେ ଏହି ଗେଟ୍ କେବଳ ୪ ଚକିଆଯାନ ପାଇଁ। ଦୁଇଚକିଆ ଯାନ କି ପାଦରେ ଚାଲି କେହି ଯାଇପାରିବେ ନାହିଁ। ସଂଯୋଗ ବଶତଃ ସେତିକି ବେଳକୁ ପାଦରେ ଚାଲିଚାଲି ସଚିବାଳୟରୁ ଫେରୁଥିଲେ ବିଜେଡି ବିଧାୟକ କିଶୋର ତରାଇ। ତାଙ୍କୁ ମଧ୍ୟ ବାରଣ କରାଯାଇଥିଲା। ଏହି ଦୁଇ ବିଧାୟକ ଓ ସୁରକ୍ଷା କର୍ମିଙ୍କ ଭିତରେ ହୋଇଥିଲା ଯୁକ୍ତି ତର୍କ । ପରେ ଜୋର ଜବରଦସ୍ତ ବିଧାୟକ ଚନ୍ଦ୍ରଶେଖର ମାଝି ସଚିବାଳୟ ଭିତରକୁ ପଶିଥିଲେ, ଆଉ କିଶୋର ତରାଇ ସେହି ଗେଟ୍ ଦେଇ ବାହାରକୁ ବାହାରିଥିଲେ ।
ସୁରକ୍ଷା କର୍ମିଙ୍କ ଯୁକ୍ତି, ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ଏହି ଗେଟ୍ ରେ ଦୁଇ ଚକିଆ ଯାନକି ପାଦଚଲା ଲୋକ ଭିତକୁ ଯିବେନି । ତେଣୁ ସେମାନେ ବିଧାୟକଙ୍କୁ ଏକଥା ବୁଝାଇଥିଲେ । ହେଲେ ବିଧାୟକ ମାନେ ସୁରକ୍ଷା କର୍ମିଙ୍କ ଉପରେ ଗର୍ଜିବା ଆରମ୍ଭ କରିଦେଲେ ଏମିତିକି ଦୁଇ ବିଧାୟକ ହାତ ଉଠାଇଥିଲେ ମାରିବାକୁ ବୋଲି ସେମାନେ କହିଛନ୍ତି । କିଏ ସତ କହୁଛି କିଏ ମିଛ ସବୁକିଛି କଏଦ ହୋଇଛି ଗେଟ ନିକଟ ସିସିଟିଭି କ୍ୟାମେରାରେ । ସଚିବାଳୟ ସୁରକ୍ଷା ଅଧିକାରୀ ସେହି ଭିଜୁଆଲ ଗଣମାଧ୍ୟମକୁ ଦେଉନାହାଁନ୍ତି । କିନ୍ତୁ ଏହାର ଯାଞ୍ଚ କରିବେ ନିଶ୍ଚୟ।
ପ୍ରଶ୍ନ ଉଠୁଛି ଗେଟ୍ର ଏ ବିଭାଗୀକରଣ ନେଇ କାହିଁକି ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ସୁରକ୍ଷାକର୍ମୀ ବାରଣ କରିବା ପରେ ଦୁଇ ବିଧାୟକ ନିୟମକୁ ସମ୍ମାନ ଦେବା ପରିବର୍ତ୍ତେ ହାତାହାତି ପର୍ୟନ୍ତ ଯିବା ଆଇନ ଭାଙ୍ଗିବା ସହ ସମାନ ନୁହେଁ କି। ଏହା ସୁରକ୍ଷା କର୍ମୀଙ୍କୁ ଡ୍ୟୁଟିରେ ବାଧା ଦେବାଭଳି ନୁହେଁ କି।