ଭାରତ ଓ ଇସ୍ରାଏଲ୍‌ ମଧ୍ୟରେ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତ ଓ ଇସ୍ରାଏଲ୍‌ ଦୁଇ ସଦୃଶ୍ୟ ଥିବା ଲୋକତନ୍ତ୍ର ବୋଲି କହିବା ପରେ ବୁଧବାର ମତ ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ସହଯୋଗିତା ସ୍ୱର୍ଗରୁ ଗଢ଼ା ଯାଇଥିବା ସଂପର୍କ ଭଳି। ‘କଥାରେ ଅଛି ବିବାହ ସ୍ୱର୍ଗରୁ ସ୍ଥିର ହୋଇଥାଏ। ଏହି କ୍ଷେତ୍ରରେ ମଧ୍ୟ ସେ ଉକ୍ତିଟି ପ୍ରଜୁଯ୍ୟ ବୋଲି କହିଛନ୍ତି ନେତାନ୍ୟାହୁ ତାଙ୍କର ଏପରି ଅଭିଭାଷଣ ସମୟରେ ଗଣମାଧ୍ୟମ, ପ୍ରଧାନମନ୍ତ୍ରୀ ମୋଦି ତଥା ଉପସ୍ଥିତ ସମସ୍ତେ କରତାଳି ଦେଇଥିଲେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ଓ ଇସ୍ରାଏଲ୍‌ ମଧ୍ୟରେ ୭ଟି ଚୁକ୍ତି ସ୍ୱାକ୍ଷର ହୋଇଥିବା ସୂଚନା ମିଳିଛି। ମହାକାଶ ପ୍ରଯୁକ୍ତିବିଦ୍ୟା, କୃଷି, ଜଳ ସଂରକ୍ଷଣ ଆଦି ବିଷୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଦୁଇ ପ୍ରଧାନମନ୍ତ୍ରୀ ବିସ୍ତତ ଭାବେ ଭାରତ-ଇସ୍ରାଏଲ୍‌ ସଂପର୍କକୁ ନେଇ ଆଲୋଚନା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଚୁକ୍ତି ବିଷୟରେ ଘୋଷଣା ହୋଇଥିଲା।

ଏହି ଚୁକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଚୁକ୍ତିଗୁଡ଼ିକ କେବଳ ଆମ ଦୁଇ ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ, ବିଶ୍ୱର ଶାନ୍ତି ଓ ସ୍ଥିରତା ମଧ୍ୟ ଆମର ଲକ୍ଷ୍ୟ।

ଭାରତ-ଇସ୍ରାଏଲ୍‌ ମଧ୍ୟରେ ହୋଇଥିବା ଚୁକ୍ତି:

୧- ଦୁଇ ଦେଶର ବୈଜ୍ଞାନିକ ଓ ଗବେଷକଙ୍କ ଉନ୍ନତିକରଣ।

୨-ଶିଳ୍ପ ବିକାଶ ସକାଶେ ୪୦ ମିଲୟନ୍‌ ଆମେରିକୀୟ ଡଲାରର ଏକ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ପାଣ୍ଠି ଗଠନ।

୩-ଜଳ ସଂରକ୍ଷଣ ଓ ନିର୍ମଳକରଣ ନେଇ ଇସ୍ରାଏଲ୍‌ ଭାରତ ସହ ମିଶି କାମ କରିବା।

୪-କୃଷି କ୍ଷେତ୍ରରେ ଉତ୍ପାଦ ବୃଦ୍ଧି କରାଇବା ଦିଗରେ ଇସ୍ରାଏଲ୍‌ ଭାରତକୁ ସହଯୋଗ କରିବ।

୫-ଇସ୍ରାଏଲ୍‌ ପ୍ରଯୁକ୍ତିରେ ଜଳ ଉପଯୋଗିତା ସଂସ୍କାର କାର୍ୟ୍ୟକ୍ରମ ।

୬-୨୦୧୮ରୁ ନେଇ ଭାରତ ଓ ଇସ୍ରାଏଲ୍‌ ୩ ବର୍ଷ ପର୍ୟ୍ୟନ୍ତ କୃଷି କ୍ଷେତ୍ରରେ କାର୍ୟ୍ୟ କରିବେ।

୭-ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ଇସ୍ରୋ ଏବଂ ଇସ୍ରାଏଲ୍‌ର ମହାକାଶ ସଂସ୍ଥା ପରସ୍ପରକୁ ସହଯୋଗ କରିବେ।

Comments (0)
Add Comment