ଭୁବନେଶ୍ବର:ନିଆଁରେ ଜଳିଗଲା ଭୁବନେଶ୍ୱର ପଟିଆରେ ଥିବା ଲିଙ୍ଗରାଜ ବିସ୍କୁଟ କାରଖାନା । କୋଟିଏରୁ ଅଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି । ଗତକାଲି ରାତିରୁ ନିଆଁ ଲାଗିଥିଲେ ବି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି । ୨୦ଘଣ୍ଟାରୁ ଅଧିକ ସମୟ ଧରି ନାକେଦମ ହେଲେଣି ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ । ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡି ଲାଗିଛି । ହେଲେ କାରାଖାନା ଭିତରେ କ୍ଷମତାଠାରୁ ଅଧିକ ମାଲ୍ ମହଜୁଦ ଥିବାରୁ କାରଖାନା ଭିତରେ ଏବେବି ନିଆଁ କୁହୁଳୁଛି । ଜଳୁଛି ଟନ୍ ଟନ୍ ବିସ୍କୁଟ । ନିଆଁ ଆଁରେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଲିଙ୍ଗରାଜ ବିସ୍କୁଟ କାରଖାନା । ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ପୋଡି ଛାରଖାର ହୋଇଯାଇଛି । ରବିରା ରାତିରୁ ନିଆଁ ଲାଗିଥିଲା । ଛୁଟି ଦିନ ଥିବାରୁ ସୌଭାଗ୍ୟ ବଶତଃ କେହି ମୃତାହତ ହୋଇ ନାହାନ୍ତି । ନିଆଁକୁ ଆୟତ କରିବାକୁ ଲାଗିଛି ୧୪ଟି ନିଆଁ ଲିଭା ଗାଡି , ଓଡ୍ରାଫ ୟୁନିଟ ଏବଂ ଶତାଧିକ କର୍ମଚାରୀ । ଅପରାହ୍ନ ସୁଦ୍ଧା ବି ସ୍ଥିତି ନିୟନ୍ତ୍ରଣ ହୋଇପାରିନି ।
ରାତି ପ୍ରାୟ ଦୁଇଟା ବେଳେ ଲାଗିଥିଲା ନିଆଁ । କାରଖାନା ଭିତରୁ ନିଆଁ ବାହାରୁ ଥିବା ଦେଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ଦମକଳ ପହଞ୍ଚିବା ବେଳକୁ ନିଆଁ ବେକାବୁ ହୋଇ ସାରିଥିଲା । ନିଆଁର ଭୟାବହତା ଏପରି ଥିଲା ଯେ ପାଖକୁ ଯିବାକୁ କେହି ସାହସ କରିପାରୁ ନଥିଲେ । କାରଖାନାର ପରିସର ସହ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା କାରଖାନାରେ କ୍ଷମତାଠାରୁ ଅଧିକ ମାଲ ମହଜୁଦ ରଖିବା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନକରିବା ନିଆଁ ଲାଗିବାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ତଦନ୍ତ ନସରିବା ଯାଏଁ କାରଖାନାକୁ ବନ୍ଦ ରଖିବାକୁ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ସେଫଟି ବିଭାଗ ନିର୍ଦ୍ଦେଶ ଦେଇଛି । କାରଖାନା ଭିତରେ ପ୍ରଚୁର ପରମାଣର ମାଲ୍ ଥିବାରୁ ଏବେବି ଭିତରେ ନିଆଁ କୁହୁଳୁଛି । ଭିତରକୁ ପଶିବା ଲାଗି କାରଖାନାର କାନ୍ଥ ଭଙ୍ଗା ଯାଇଛି । କାରଣ ଭିତର ପର୍ଯ୍ୟନ୍ତ ପାଣି ପହଞ୍ଚାଇବାକୁ ଆଉ ବାଟ ନାହିଁ । ଏଭିତରେ ସାରା କାରଖାନା ଜଳି ଛାରଖାର ହୋଇ ଯାଇଛି ।