ଭୁବନେଶ୍ୱର:ପଞ୍ଚାୟତିରାଜ ବିଭାଗରେ ହଜାରେ କୋଟିରୁ ଅଧିକ ଟଙ୍କାର ହାଉସିଂ ସ୍କାମ୍ । ଗ୍ରାମାଞ୍ଚଳ ହାଉସିଂ ଯୋଜନାରେ ଯେଉଁ ପିସି କାରବାର ହୋଇଛି, ତାହା ଆକଳନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗରିବ ଲୋକଟେ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇବାକୁ ୧୦ରୁ ୧୫ ପ୍ରତିଶତ ଲାଞ୍ଚ ଦେଉଛି । ଇନ୍ଦିରା ଆବାସ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଏବଂ ମୋ କୁଡିଆ ସବୁଠି ହୋଇଛି ବେଧଡକ୍ ପିସି କାରବାର ।
ଶାସକ ଦଳର ବିଧାୟକ ଓ ବିଭାଗୀୟ ମନ୍ତ୍ରୀ କହୁଛନ୍ତି, ରୁରାଲ ହାଉସିଂ ସ୍କିମରେ ଚାଲିଛି ୧୦ରୁ ୧୫ ପ୍ରତିଶତ ପିସି କାରବାର । ଯାହା ସ୍ପଷ୍ଟ କରୁଛି, ଗ୍ରାମାଞ୍ଚଳରେ ବିଭିନ୍ନ ଆବାସିକ ଯୋଜନାରେ ହଜାରେ କୋଟିରୁ ଅଧିକ ଟଙ୍କାର ଘୋଟାଲା ହୋଇଛି । ହିତାଧିକାରୀ ଚିହ୍ନଟ ଠାରୁ ଆରମ୍ଭ କରି ଶେଷ କିସ୍ତି ଉଠାଣ ପର୍ୟ୍ୟନ୍ତ, ସରପଞ୍ଚ, ଜିଆରଏସ୍, ପିଇଓ, ଜେଇ ଏବଂ ବିଡିଓ ସମସ୍ତେ ହାତ ଚିକ୍କଣ କରୁଛନ୍ତି । ପିସି ବା ପର୍ସେଣ୍ଟେଜ୍ କମିଶନ୍ ରୋକିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଏବେ ଗୁମର ପଦାକୁ ଆସୁଛି । ଆଉ ବିରୋଧୀ କହୁଛନ୍ତି ସେମାନଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଛି ।
ଏବର୍ଷ ରୁରାଲ ହାଉସିଂ ସ୍କିମ୍ ରେ ବଜେଟ ରହିଛି ୩ ହଜାର କୋଟି ଟଙ୍କା । ପାଖାପାଖି ୪ ଲକ୍ଷ ଗୃହ ଯୋଗାଇବା ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ପିସି ୧୦ ପ୍ରତିଶତରେ ହିସାବ କଲେ, ଘୋଟାଲା ହେବ ୩୦୦ କୋଟି । ଯେଉଁଥିରୁ ସମସ୍ତେ ହାତ ଚିକ୍କଣ କରିବାକୁ ଟାକି ବସିଛନ୍ତି । ସେପଟେ ରାଜ୍ୟ ସରକାର ଏହାକୁ ଫ୍ଲାଗସିପ୍ ପ୍ରୋଗ୍ରାମ କହି ଭୋଟ ଗୋଟାଇବା ଲକ୍ଷ୍ୟରେ ଅଛନ୍ତି । ଯେଉଁଥି ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଛି ଧରପଗଡ଼ । ପଞ୍ଚାୟତିରାଜ ସଚିବ କହିଛନ୍ତି, କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ସରପଞ୍ଚ ଓ ମିଡିଲ ମ୍ୟାନ ବି ଭିଜିଲାନ୍ସ ପରିଧିକୁ ଆସିବେ । ପିସି ବନ୍ଦ ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ପରେ ମାସକ ଭିତରେ ୧୪୦ଟି ଅଭିଯୋଗ ଆସିଛି । ୩ ପ୍ରସଙ୍ଗ ଉପରେ ଅଧିକ ଅଭିଯୋଗ ଆସିଛି । କିସ୍ତିରେ ବିଳମ୍ବ, ନୂଆ ଘର ତାଲିକାରେ ନାଁ ନରହିବା ଏବଂ ସରପଞ୍ଚ ଓ ସରକାରୀ ଅଧିକାରୀ ପିସି ନଦେଲେ ଏସବୁ କାମ କରୁନଥିବା ଅଭିଯୋଗ କରୁଛନ୍ତି ହିତାଧିକାରୀ ।