ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି ୨୦୧୭-୧୮ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୭୫ ପ୍ରତିଶତ ରହିଛି । ଆସନ୍ତା ବର୍ଷ ଏହା ୭ରୁ ୭ ଦଶମିକ ୭୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ପୋଲି ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଭାରତ ବିଶ୍ବର ସବୁଠାରୁ ଆଗକୁ ବଢୁଥିବା ଅର୍ଥନୀତି ବୋଲି କେନ୍ଦ୍ର ସରକାରଙ୍କ ଦ୍ବାରା ଉପସ୍ଥାପିତ ଏହି ରିପୋର୍ଟରେ କୁହାଯାଇଛି ।
ଭାରତୀୟ ଅର୍ଥନୀତି ଦ୍ରୁତ ଭାବରେ ବଢି ଚାଲିଛି । ବିଶ୍ବର ସବୁଠାରୁ ଆଗକୁ ବଢୁଥିବା ଅର୍ଥନୀତି । ଚଳିତ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୭୫ ପ୍ରତିଶତ ରହିଥିବା ବେଳେ ଆସନ୍ତା ବର୍ଷ ଏହା ୭ରୁ ୭.୭୫ ପ୍ରତିଶତକୁ ବୃଦ୍ଧି ପାଇବ । ଆଜି ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି । ସେହିଭଳି ରିପୋର୍ଟ କହୁଛି ଗତ ତିନି ବର୍ଷ ଧରି ଭାରତୀୟ ଅର୍ଥନୀତି ହାରାହାରି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଛି । ଏହି ସମୟରେ ବି ବିଶ୍ବ ଅର୍ଥନୀତି ହାରାହାରି ୩ ପ୍ରତିଶତ ହାରରେ ଅଭିବୃଦ୍ଧି ହୋଇଛି। ୨୦୧୭-୧୮ରେ ଉତ୍ପାଦନ କ୍ଷେତ୍ରରେ ୮ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ରିପୋର୍ଟରେ କୁହାଯାଇଛି ।
କୃଷି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଫୋକସ ରଖିବାକୁ ସର୍ଭେରେ କୁହାଯାଇଛି । ଜିଏସ୍ଟି ଲାଗୁ ପରେ ପରୋକ୍ଷ ଟ୍ୟାକ୍ସ ପ୍ରଦାନକାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୬ ପରେ ୧ ଦଶମିକ ୮ ମିଲିୟନ ବ୍ୟକ୍ତି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିଛନ୍ତି । ସେହିଭଳି ସାମାଜିକ ସୁରକ୍ଷା ମାନଦଣ୍ଡ ବା ଇପିଏଫ୍ ଓ ଇଏସ୍ଆଇସି ଆଧାର ଉପରେ ଫର୍ମାଲ୍ ସେକ୍ଟରରେ ରୋଜଗାର ୩୦ ପ୍ରତିଶତ ବୃଦ୍ଧି ପାଇଛି । ରପ୍ତାନୀ କ୍ଷେତ୍ରରେ ଭାରତ ବାକି ଦେଶଙ୍କ ଠାରୁ ଢେର ଗୁଣରେ ଆଗରେ ରହିଛି । ଭାରତର ଟପ୍ ୧ ପ୍ରତିଶକ କଂପାନୀ ଦେଶର ୩୮ ପ୍ରତିଶତ ରପ୍ତାନୀ କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।ଏଥର ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ଆର୍ଥିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ସହ ଏହାର ଅଧିକାଂଶ ଗ୍ରାଫ ଗୋଲାପି ରହିଛି । ଦେଶରେ ଲିଙ୍ଗଗତ ସମାନତା ଉପରେ ସରକାରଙ୍କ ଗୁରୁତ୍ବକୁ ଦର୍ଶାଇବାକୁ ଏପରି କରାଯାଇଛି ନା ସରକାର ଗୋଲାପୀ ଗୋଲାପୀ ଚିତ୍ର ଥୋଇଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। ।