ସଂସଦରେ ବଜେଟ ଅଧିବେଶନ ଆରମ୍ଭ : ଏକସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଅଧିକ ବିତର୍କ ଲୋଡା- ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣର ଆରମ୍ଭରେ ବାବା ସାହେବଙ୍କ ଆମ୍ବେଦକରଙ୍କ ମନେପକାଇଛନ୍ତି। ଆର୍ଥିକ ଗଣତନ୍ତ୍ର ଓ ସାମାଜିକ ଗଣତନ୍ତ୍ର ବିନା ରାଜନୈତିକ ଗଣତନ୍ତ୍ର ଅସ୍ଥିର ରହିବ ବୋଲି ବାବା ସାହେବ ଆମ୍ବେଦକରଙ୍କ ବୟାନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଣି ଦୋହରାଇଥିଲେ । କେନ୍ଦ୍ର ସରକାରଙ୍କ ନିଉ ଇଣ୍ଡିଆ ସ୍ବପ୍ନ ୨୦୧୮ରେ ସାକାର ହେବ ବୋଲି ଦୃଢୋକ୍ତି କରିଛନ୍ତି ରାଷ୍ଟ୍ରପତି। ୨୦୧୯ରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀବେଳକୁ ଭାରତକୁ ସ୍ବଚ୍ଛଭାରତରେ ପରିଣତ କରିବା ଆମ ସମସ୍ତଙ୍କର ବଡ ଗୁରୁଦାୟୀତ୍ବ ବୋଲି ରାଷ୍ଟ୍ରପତି କହିଛନ୍ତି। କର୍ମଜୀବୀ ମହିଳାଙ୍କ ପାଇଁ ମାତୃତ୍ବ ଅବକାଶକୁ ୨୬ ସପ୍ତାହକୁ ବୃଦ୍ଧି କରାଯିବା ସରକାରଙ୍କ ନିଷ୍ପତ୍ତିକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏଥିସହିତ ୨୦୨୨ ବେଳକୁ ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ସରକାରଙ୍କ ପ୍ରତିଶ୍ରତିବଦ୍ଧ ରହିଥିବା କହିଛନ୍ତି ରାଷ୍ଟ୍ରପତି। ଦେଶର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ସାଧାରଣ ଜନତାଙ୍କୁ ଡିଜିଟାଲ ସେବା ପ୍ରଦାନ କରିବାଲାଗି ସରକାରଙ୍କ ପକ୍ଷରୁ ୨ଲକ୍ଷ ୭୦ ହଜାର କମନ ସର୍ଭିସ ସେଣ୍ଟର ଖୋଲାଯାଇଥଇବା କହିଛନ୍ତି ରାଷ୍ଟ୍ରପତି। ମୁସଲିମ ମହିଳାମାନେ ବିନା ଭୟରେ ଏବଂ ସମ୍ମାନ ସହ ବଞ୍ଚିବାପାଇଁ ସରକାର ଆଣିଥିବା ଟ୍ରିପଲ ତଲାକ ବିଲ୍ ରାଜ୍ୟସଭାରେ ପାରିତ ହେବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଦେଶର ସାମୁହିକ ବିକାଶରେ ସମସ୍ତଙ୍କୁ ଯୋଡିବାପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାମକୁ ତ୍ବରାନ୍ବିତ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ୨୦୧୪ରେ ୫୬ ପ୍ରତିଶତ ଗାଁକୁ ସଡକ ସଂଯୋଗୀକରଣ କରାଯାଇଥିବାବେଳେ ଏବେ ୮୨ ପ୍ରତିଶତ ଗାଁକୁ ଯୋଡାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସଂଖ୍ୟାଲଘୁମାନଙ୍କୁ ସନ୍ତୁଷ୍ଟିକରଣନୁହେଁ , ସଶକ୍ତିକରଣ କରିବା ସରକାରଙ୍କ ମନ୍ତ୍ର ପାଲଟିଥିବା ରାଷ୍ଟ୍ରପତି କହିଛନ୍ତି। କୁମ୍ଭମେଳାକୁ ୟୁନେସ୍କୋ ସଂସ୍କୃତିର ଧରୋହର ମାନ୍ୟତା ଦେବା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ରାମନାଥ କୋବିନ୍ଦ। ଆଧାରକାର୍ଡ ଯୋଗୁ ଏବେ ହିତାଧିକାରୀ ସରକାର ଯୋଜନାରୁ ଉପକୃତ ହୋଇପାରୁଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି। ଏକସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଅଧିକ ବିତର୍କ କରିବାକୁ ରାଷ୍ଟ୍ରପତି କହିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଦେଶର ୩୧କୋଟି ଗରୀବ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ରାଷ୍ଟ୍ରପତି କହିଛନ୍ତି।

Comments (0)
Add Comment