ସାଧାରଣତନ୍ତ୍ର ଦିବସ: ଓଡିଶାର ପ୍ରଜ୍ଞାପନ ମେଢ ଦ୍ଵିତୀୟ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାକୁ ମିଳିଛି ସଫଳତା । ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଛି ଓଡ଼ିଶା । ପ୍ରଜ୍ଞାପନ ମେଢ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ । ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ମିଳିଲା ଏହି ପୁରସ୍କାର । ଏହି ଅବସରରେ ପ୍ରଜ୍ଞାପନ ମେଢ଼ ନିର୍ମାଣ ଓ ପ୍ରଦର୍ଶନ ସହ ସଂପୃକ୍ତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାଧାରଣତନ୍ତ୍ର ଦିବସରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଥିଲା । ଓଡିଶାରୁ ଯାଇଥିବା ନୃତ୍ୟଶିଳ୍ପୀମାନେ ଦିଲ୍ଲୀ ଦରବାରରେ ନୃତ୍ୟ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ଗତ ଦୁଇ ବର୍ଷ ହେଲା ଓଡିଶାର ପ୍ରଜ୍ଞାପନ ମେଢ ଗଣତନ୍ତ୍ର ଦିବସରେ ସାମିଲ ହୋଇ ନଥିଲା । ଶେଷ ଥର ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ୨୦୧୭ରେ ସାମିଲ ହୋଇଥିଲା, ଯାହା ଦୋଳ ପୂର୍ଣ୍ଣିମାର ପରମ୍ପରାକ ଉପରେ ପର୍ଯ୍ୟବସିତ ହୋଇଥିଲା।

Comments (0)
Add Comment