ପୁରୀ: ସୁନାବେଶରେ ଝଟକିଲେ ତିନି ଠାକୁର । ରଥରେ ରାଜରାଜେଶ୍ୱ ବେଶରେ ଦର୍ଶନ ଦେଲେ କାଳିଆ ଠାକୁର । ଆଜି ବଡ ଏକାଦଶୀରେ ତିନି ଠାକୁରଙ୍କୁ ଦର୍ଶନକଲେ ଲକ୍ଷାଧିକ ଭକ୍ତ । ମହଣ ମହଣ ସୁନାରେ ଛାଇ ହୋଇଥିଲେ ଦାରୁ ଦେବତା । ସୁନା ଓ ରତ୍ନ ଖଚିତ ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ସ୍ୱର୍ଣ୍ଣ ନିର୍ମିତ ଆୟୁଧ ମଧ୍ୟ ଧାରଣ କରିଛନ୍ତି। ଶ୍ରୀବିଗ୍ରହ ଆଜି ସକାଳୁ ବିଭିନ୍ନ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ଧୂପ ଓ ତା ପରେ ଶ୍ରୀଜୀଉଙ୍କ ସୁନାବେଶ ହୋଇଥିଲା। ଗଜପତି ମହାରାଜା କପିଳେନ୍ଦ୍ରଦେବ ଦାକ୍ଷିଣାତ୍ୟ ଜୟ କରିବା ପରେ ପ୍ରଚୁର ପରିମାଣରେ ସୁନା, ରୁପା, ହୀରା, ନୀଳା ଜିତିଥିଲେ। ମହାପ୍ରଭୁଙ୍କ କୃପାରୁ ସେ ଏହି ବିଜୟ ଲାଭ କରିଥିବାରୁ ସେଗୁଡ଼ିକୁ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ସେବେଠାରୁ ସୁନାବେଶ ହୋଇଅଆସୁଛି। ପୂର୍ବରୁ ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିଲା। କିନ୍ତୁ ଏହାକୁ ସମସ୍ତେ ଦେଖିବାର ସୁଯୋଗ ପାଉ ନ ଥିଲେ। ଏଣୁ ବାହୁଡ଼ା ଦଶମୀ ପରେ ଏକାଦଶୀ ଦିନ ଏହି ବେଶ ରଥ ଉପରେ କରିବା ପାଇଁ ତତ୍କାଳୀନ ତଢ଼ାଉ କରଣ ଅନୁରୋଧ କରିଥିଲେ। ସେବେଠାରୁ ରଥ ଉପରେ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି।
ସୁନାବେଶର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୧୨୫ ପ୍ଲାଟୁନ ଫୋର୍ସ ବଡ଼ ଦାଣ୍ଡଠାରୁ ତିନି ରଥର ଚତୁଃପାର୍ଶ୍ୱରେ ମୁତୟନ କରାଯାଇଛି। ଏଥିସହ ଟ୍ରାଫିକ ନିୟନ୍ତ୍ରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ବର୍ଷକରେ ମହାପ୍ରଭୁଙ୍କ ୫ଥର ସୁନାବେଶ ହେଉଥିବା ବେଳେ ସେଥିମଧ୍ୟରୁ ୪ଟି ଶ୍ରୀମନ୍ଦିର ଭିତରେ। କେବଳ ଆଜିର ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ନିର୍ଦ୍ଧାରିତ ସମୟ ଅନୁସାରେ ଶ୍ରୀଜିଉଙ୍କ ସୁନାବେଶ ହୋଇଯାଇଛି। ରଥାରୂଢ ତିନି ଦିଅଁ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।