ହଳଦୀ ଗାଁରେ ପୁଣି ମାତିଛି ବାଘ : ଆଈ-ନାତୁଣୀଙ୍କୁ ମାରିଲା ଝାମ୍ପ

ନୂଆପଡ଼ା : ନୂଆପଡ଼ା ଖରିଆର ରୋଡ ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଆଈ-ନାତୁଣୀ ଘରେ ଶୋଇଥିବା ବେଳେ ବାଘ ଆକ୍ରମଣ କରିଥିଲା । ଉଭୟଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । ଘଟଣାକୁ ନେଇ ହଳଦୀ ଗାଁ ଓ ଏହାର ଆଖପାଖ ଲୋକେ ଆତଙ୍କିତ । ଇଏ ସେଇ ଗାଁ ଯେଉଁଠି ମେ’ ୨୬ରେ ମାଆ କୋଳରୁ ୪ ବର୍ଷର ଶିଶୁକୁ ଉଠାଇ ନେଇ ଝୁଣି ଖାଇଥିଲା ବାଘ । ହଳଦୀ ଗାଁରେ ପୁଣି ମାତିଛି ବାଘ । ରବିବାର ରାତିରେ ଦୁଇ ଜଣଙ୍କୁ ଘାଇଲା କରିଛି । ଶୋଇଥିବା ବେଳେ ଆଈ-ନାତୁଣୀଙ୍କ ଉପରକୁ ମାରିଛି ଝାମ୍ପ । ଘର ଭିତରେ ପଶି ଦୁଇ ଜଣଙ୍କ ଗୋଡକୁ ଟାଣିଛି । ବାଘ ଆକ୍ରମଣର ଆହତ ହୋଇଛନ୍ତି ଧାନବାଇ ପାଣ୍ଡେ ଓ ତାଙ୍କ ୧୦ ବର୍ଷର ନାତୁଣୀ ଚଙ୍କି । ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇଜଣଙ୍କୁ ଆକ୍ରମଣକରିବା ପରେ ଆଖପାଖ ୩ରୁ ୪ଟି ଘରକୁ ବୁଲୁଛି ବାଘ । ତାର ପାଦ ଚିହ୍ନରୁ ଏହା ସ୍ପଷ୍ଟ ହୋଇଛି । ବନ ବିଭାଗ ବାଘର ପାଦ ଚିହ୍ନ ଦେଖି ଏହା ଏକ ମାଇ କଲରାପତରିଆ ବାଘ ବୋଲି କହିଛି । ଗ୍ରାମବାସୀଙ୍କୁ ସନ୍ଧ୍ୟା ହେଲେ ଘରୁ ନବାହାରିବାକୁ ବନ ବିଭାଗ ଅନୁରୋଧ କରିଛି । ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ ସବୁ ବ୍ୟବସ୍ଥା କରାଯାଇଛି । ପୁଣି ମଣିଷ ଖିଆ ବାଘ ଫେରିଥିବାରୁ ଗାଁରେ ଭୟର ବାତାବରଣ । ଏ ହେଉଛି ସେଇ ହଳଦୀ ଗାଁ ଯେଉଁଠି ମେ’ ୨୬ରେ ମା’ କୋଳରୁ ୪ ବର୍ଷର ଶିଶୁ ଛଗନକୁ ଉଠାଇ ନେଇ ଝୁଣି ଖାଇଥିଲା ବାଘ । ସେଇ ଦିନଠୁ ଗାଁରେ ଲାଗି ରହିଥିଲା ଆତଙ୍କ । ଛଗନକୁ ଉଠାଇ ନେବାର କିଛି ଦିନ ପରେ ନିକଟସ୍ଥ ମୁଣ୍ଡିଆ ଉପରେ ବାଘକୁ ଦେଖିଥିଲେ ଲୋକେ । ବାଘ ଧରିବାକୁ ବନ ବିଭାଗ ଜନ୍ତାରେ ଛେଳି ରଖି ଜଗି ରହିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗାଇଥିଲା। ଲୋକଙ୍କୁ ସତର୍କ କରିବାକୁ ଗାଁରେ ବୁଲିଥିଲା ପ୍ରଚାର ଗାଡି । ଲୋକଙ୍କ ସତର୍କତା ଓ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସତ୍ବେ ପୁଣି ଦେଖାଦେଇଛି ମଣିଷ ଖିଆ ବାଘର ଆତଙ୍କ ।

Comments (0)
Add Comment