ତପ୍ତପାଣି ଘାଟିରେ ଓଲଟିଲା ବସ୍‌; ୮ ମୃତ, ୪୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଆଉ ଜଣେ ଯାତ୍ରୀ ଫସି ରହିଛନ୍ତି। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।

ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ରାୟଗଡ଼ାର ବିଦ୍ୟୁତ୍ ନାୟକ, ପୁତାବଗଡ଼ର ଝୁନୁ ବେହେରା, କବିସୂର‌୍ୟ୍ୟନଗରର ବାଲିଅସରା ଗାଁର କରିସ୍ମା ନାୟକ ଓ କୋଦଳାର ଏଲ୍ ରମେଶ।

ସୂଚନା ଅନୁଯାୟୀ, ‘ମାରୁତି‘ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୋର୍ ପ୍ରାୟ ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ଏ ଦୁର୍ଘଟଣା ଘଟିଥିଲା। ବ୍ରେକ୍ ଫେଲ୍ ହୋଇଯିବା ଯୋଗୁ ବସ୍‌ଟି ନିୟନ୍ତ୍ରଣ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଘଂଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ବସ୍‌ରେ ଏବେବି ୩ ଯାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଗ୍ୟାସ୍ କଟର୍‌ର ସାହାଯ୍ୟ ନିଆଯିବ ବୋଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଗଞ୍ଜାମ ସିଡିଏମ୍‌ଓ କହିଛନ୍ତି ଦିଗପହଡ଼ି ମେଡିକାଲ୍‌ରେ ୩୫ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେହିଭଳି ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ୧୪ ଜଣ ଆହତଙ୍କୁ ଭର୍ତି କରାଯାଇଥିବା ନେଇ ଅଧୀକ୍ଷକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ଏହି୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଆହତମାନଙ୍କୁ ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଛି ବୋଲି ଅଭିଯୋଗ ହୋଇଛି। ବସ୍ ଡ୍ରାଇଭରଙ୍କ ବିଷୟରେ କିଛି ଜଣାପଡ଼ିନି। ସେ ଫେରାର ହୋଇଯାଇଥିବା କୁହାଯାଉଛି।

Comments (0)
Add Comment