ସରିଲା ସୁନା ବେଶ ,ଆଜି ଅଧରପଣା ଓ ଗରୁଡ଼ ଶୟନନୀତି

ପୁରୀ : ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସହ ଗରୁଡ଼ଶୟନ ନୀତି ସମ୍ପନ୍ନ ହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ତୁମ୍ବାକୃତି ମୃର୍ତ୍ତିକା ପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଇ ଭୋଗ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସକାଳ ୬ଟାରୁ ୬ଟା୩୦ମିନିଟ ମଧ୍ୟରେ ତିନିରଥରେ ମଙ୍ଗଳ ଆଳତି କରାଯିବ । ସକାଳ ୭ଟାରେ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା୩୦ମିନିଟ. ମଧ୍ୟରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା୩୦ ମଧ୍ୟରେ ସକାଳ ଧୂପ, ଦିନ ଗୋଟାଏରେ ମଇଲମ, ୧ଟା୩୦ରେ ଯାତ୍ରାଙ୍ଗି ମହସ୍ନାନ ଓ ସର୍ବାଙ୍ଗ ଓ ଦିନ ୨ଟାରେ ବେଶ ଶେଷ ହେବ । ଅପରାହ୍ନ ୩ଟା୩୦ରୁ ୪ଟା୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ରାତି ୮ଟାରେ ତିନିରଥର ଅଧରପଣା ନୀତି ଶେଷ ହେବ । ରାତି ୯ଟାରେ ଶେଷ ହେବ ମହାସ୍ନାନ । ୧୦ଟାରେ ମଇଲମ ଓ ବେଶ, ୧୦ଟା୩୦ମିନିଟରେ ସନ୍ଧ୍ୟା ଆଳତି, ୧୧ଟାରୁ ୧୨ଟା ମଧ୍ୟରେ ସନ୍ଧ୍ୟାଧୂପ, ୧୨ଟା୩୦ରେ ମଇଲମ ଓ ଚନ୍ଦନଲାଗି, ରାତି ଗୋଟାଏରେ ବଡ଼ସିଂହାର ବେଶ, ୧ଟା୩୦ରେ ବଡ଼ସିଂହାର ଭୋଗ ଓ ଗରୁଡ଼ ଶୟନ ନୀତି ଶେଷ ହେବ । ରାତି ୨ଟାରେ ଠାକୁରମାନଙ୍କ ରାତ୍ର ପହୁଡ଼ ହେବ ବୋଲି ନୀତି ନିର୍ଘଣ୍ଟ ସମୟ ଧାର୍ଯ୍ୟ କରାଯାଇଛି । ଗବେଷକମାନଙ୍କ ମତରେ ରଥ ଉପରେ ଅଧରପଣା ପରମ୍ପରା ପ୍ରାୟ ୪୫୦ବର୍ଷର ପୁରାତନ । ସୂର୍ଯ୍ୟମଣି ପାଟମହାଦେଇଙ୍କ ସମୟରେ ୧୮୮୧ ମସିହାରେ ଅଧରପଣା ଭୋଗ ନେଇ ପୁରୀର ଦୁଇମଠ ମଧ୍ୟରେ ବିବାଦ ଉପୁଜିଥିଲା । ୧୮୯୩ ମସିହାରେ ଏଥିପାଇଁ ଏକ ହୁକୁମନାମା ଜାରି ହୋଇଥିଲା । ସେତେବେଳେ ଶ୍ରୀମନ୍ଦିରର ପରିଚାଳକ ଥିଲେ ନିତ୍ୟାନନ୍ଦ ଦାଶ । ଓଡ଼ିଆ ମଠର ଅଧିକାରୀ ଥିଲେ ରାମକୃଷ୍ଣ ଦାସ ଗୋସ୍ୱାମୀ ଓ ରାଘବଦାସ ମଠର ମ୍ୟାନେଜର ଥିଲେ ଗୁରୁ କୃଷ୍ଣଚନ୍ଦ୍ର ମହାନ୍ତି । ଉଭୟ ମଠକୁ ପ୍ରଦତ୍ତ କରାଯାଇଥିବା ସନନ୍ଦର ନକଲ ପ୍ରଦତ୍ତ କରାଗଲା – ଆଏନ୍ଦାକୁ ସ୍ନ୧୩୦୧ ସାଲଠାରୁ ଏକବର୍ଷରେ ଓଡ଼ିଆ ମଠ ଅଧର ପ୍ରଥମେ ଶ୍ରୀବଡ଼ଠାକୁରଙ୍କ ରଥରେ ଭୋଗ ହେବ ଓ ରାଘୋଦାସମଠ ଅଧର ଶ୍ରୀଜଗନ୍ନାଥଙ୍କ ରଥରେ ଓ ମଝି ରଥରେ ଭୋଗ ହେବ । ତତପରବର୍ଷରେ ଅର୍ଥାତ୍ ସ୍ନ୧୩୦୨ସାଲରେ ରାଘୋଦାସ ମଠ ଅଧର ଶ୍ରୀବଡ଼ଠାକୁରଙ୍କ ରଥରେ ପ୍ରଥମେ ଭୋଗ ହେବ ଓ ଓଡ଼ିଆ ମଠର ଅଧର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥରେ ଓ ମଝି ରଥରେ ଭୋଗ ହେବ । ଏହି ରୂପ ସ୍ନ ସ୍ନ କୁ ସ୍ନ ସ୍ନ ଆଗପଛ କରି ଅଧର ଭୋଗ କରୁଥିବ ବୋଲି ଏହାକୁ ସମଝାଇ ଦିଆଗଲା ଓ ଉଭୟ ପକ୍ଷଙ୍କ ଦାଖଲ ସନନ୍ଦମାନ ତାଙ୍କୁ ବିଧିମତ ୱାପଷ ଦିଆଯାଉ ଓ ଚଳିତ ସନରେ ରାଘୋଦାସ ମଠ ଅଧର ବଡ଼ଠାକୁରଙ୍କ ରଥରେ ଭୋଗ ହେଉ । ଉପରୋକ୍ତ ହୁକୁମନାମାରୁ ଜଣାଯାଏ ଯେ, ସେତେବେଳର ବିବାଦ ପରଠାରୁ ରାଘବଦାସ ମଠ ଗୋଟିଏ ବର୍ଷ ଦୁଇଟି ରଥ ପାଇଁ ୬ହାଣ୍ଡି ଅଧରପଣା ଯୋଗାଉଥିବା ବେଳେ ଠିକ୍ ତତ୍ପର ବର୍ଷରେ ଓଡ଼ିଆ ମଠ ଦୁଇଟି ରଥପାଇଁ ୬ହାଣ୍ଡି ଅଧରପଣା ଭୋଗ କରୁଥିଲେ । ସମ୍ପ୍ରତ୍ତି ଅଧରପଣା ଗୋଟିଏ ଦିନରେ ହିଁ ସୀମିତ ହୋଇଯାଇଥିବା ବେଳେ ଉଭୟ ମଠ ପ୍ରତିବର୍ଷ ୩ଟି ଲେଖାଏଁ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇଦେଇ ଆସୁଛନ୍ତି ।

ସୁନା ବେଶ ଦର୍ଶନ କଲେ ୧୦ ଲକ୍ଷ ଭକ୍ତ

ବାହୁଡା ଦଶମୀରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଆଜି ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉମାନଙ୍କ ଅପୂର୍ବ ସୁନାବେଶ ବା ବଡ଼ତଢ଼ାଉ ବେଶ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ଓ ଆଭୂଷଣରେ ସଜ୍ଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପରାହ୍ନରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପ୍ରାୟ ୧୦ଲକ୍ଷ ଭକ୍ତ । ପତିତଜନଙ୍କୁ ଦର୍ଶନ ଦେଉଥିବା ଦାରୁବିଗ୍ରହମାନଙ୍କୁ ରଥତଳେ ଥାଇ ଦର୍ଶନ କରିବା ପାଇଁ ଆଜି ପ୍ରତ୍ୟୁଷରୁ ଭକ୍ତମାନଙ୍କ ଭିଡ଼ ଲାଗିଥିଲା । ଅନୁକୁଳ ପାଗ ଯୋଗୁଁ ଚଳିତବର୍ଷ ସୁନାବେଶରେ ପୂର୍ବାପେକ୍ଷା ଅଧିକ ଦର୍ଶନାର୍ଥୀଙ୍କ ସମାଗମ ଲକ୍ଷ୍ୟ କରାଯାଇଥିଲା । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଅର୍ଥାତ୍ ୩ଟା ୪୫ରୁ ୪ଟା ୫୫ମିନିଟ୍ ମଧ୍ୟରେ ଶ୍ରୀଜିଉମାନଙ୍କର ସୁନାବେଶ ଶେଷ ହୋଇଥିଲା । ଆଜି ସକାଳ ୬ଟା ୧୦ରେ ତିନି ରଥରେ ମଙ୍ଗଳଆଳତୀ ନୀତି ସଂପାଦନ କରାଯାଇଥିଲା । ପରେ ପରେ ଅବକାଶ, ବେଶ ଶେଷ, ଗୋପାଳବଲ୍ଳଭ, ସକାଳଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା । ଏହାପରେ ସୁନାବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁଷ୍ପାଳକ, ଖୁଣ୍ଟିଆ, ଦଇତାପତି, ତଳୁଚ୍ଛ ଓ ଭିତରଚ୍ଛ ସେବାୟତ ଶ୍ରୀଜିଉମାନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଆଭୂଷଣ ଅଣାଯାଇଥିଲା । ନୀତି ସଂପୃକ୍ତ ସେବକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପାଟବସ୍ତ୍ର ଓ ରତ୍ନ ଅଳଙ୍କାରରେ ବିଗ୍ରହମାନଙ୍କୁ ଭୂଷିତ କରାଯାଇଥିଲା । ଏହି ବେଶରେ ପ୍ରଭୁ ବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାହାଡାମାଳି, ବାଘନଖିମାଳି, ସେବତୀମାଳି, ତ୍ରୀଖଣ୍ଡିକାରେ ସଜ୍ଜିତ ହୋଇଥିଲେ । ବଳଭଦ୍ରଙ୍କ ଦୁଇ ହସ୍ତରେ ଶୋଭା ପାଉଥିଲା ହଳ ଓ ମୂଷଳ । ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, କର୍ଣ୍ଣ, ଘାଗଡ଼ାମାଳି, କଦମ୍ବମାଳି, ଝୋବାକଣ୍ଠି, ହରିଡା କଦମ୍ବମାଳି, ବାହାଡ଼ାମାଳି, ତିଳକ, ଚନ୍ଦ୍ରିକା, ଅଳକା, ତାବିଜମାଳି, ସେବତୀମାଳି ଓ କମରପଟିରେ ତ୍ରିଖଣ୍ଡିକା ଲାଗି ହୋଇଥିଲା । ଶ୍ରୀଜଗନ୍ନାଥ ଦୁଇ ହସ୍ତରେ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ ଧାରଣ କରିଥିଲେ । ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ କିରିଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ଓ ସେବତୀମାଳିରେ ସଜ୍ଜିତ କରାଯାଇଥିଲା । ଦେବୀ ସୁଭଦ୍ରା ଧାରଣ କରିଥିଲେ ଦୁଇଟି ତଡ଼ଗୀ ବା ଆୟୁଧ । ଶୃଙ୍ଖଳିତ ଦର୍ଶନ ପାଇଁ ରଥ ଚତୁଃପାଶ୍ୱର୍ରେ ବ୍ୟାରିକେଡ ନିର୍ମାଣ କରାଯିବା ସହ ଏକମୁଖୀ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଥିଲା । କେବଳ ଚାଲି ଚାଲି ବଡଦାଣ୍ଡକୁ ଦର୍ଶନାର୍ଥୀମାନେ ଆସି ରଥ ଚାରିପଟେ ବୁଲି ରଥତଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଏକମୁଖୀ ରାସ୍ତାରେ ପ୍ରସ୍ଥାନ କରିଥିଲେ । ସୁନାବେଶ ଦର୍ଶନ ପାଇଁ କେବଳ ବଡ଼ଦାଣ୍ଡ ଜନସମୁଦ୍ର ହୋଇନଥିଲା, ବେଳାଭୂମିରେ ମଧ୍ୟ ଦେଖାଯାଇଥିଲା ପ୍ରବଳ ଯାତ୍ରୀ ସମାଗମ । ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ସମୁଦ୍ର ସ୍ନାନର ମଜା ଉଠାଇଥିଲେ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସୂଚନା କେନ୍ଦ୍ରମାନଙ୍କରେ ବିଭିନ୍ନ ସୂଚନା ପ୍ରଦାନ କରାଯାଇଥିଲା । ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସୁରକ୍ଷା ବ୍ୟବସ୍ଥାର ସାମଗ୍ରିକ ତତ୍ତ୍ୱାବଧାନ କରିଥିଲେ । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସଂଜୀବ ପଣ୍ଡା, ଅସିତ ପାଣିଗ୍ରାହୀ ଓ ଅମିତାଭ ଠାକୁର ତାଙ୍କୁ ସହାୟତା କରିଥିଲେ । ଡିଆଇଜି ହିମାଂଶୁ ଲାଲ, ଏସପି ଆଇ.ଡି ସିବି ରାଜେଶ ପଣ୍ଡିତ ଏବଂ ଓଏସଜି ର କମାଣ୍ଡାଣ୍ଟ୍ ଅନୀଲ ଯୋଶୀ ପୁଲିସ ବ୍ୟବସ୍ଥାର ତଦାରଖ କରିଥିଲେ ।

Comments (0)
Add Comment