ନୂଆଦିଲ୍ଲୀ: ସ୍ବଦେଶ ଫେରିଛନ୍ତି ଚୀନରେ ଫସିଥିବା ୩୨୪ ଭାରତୀୟ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ସେମାନଙ୍କୁ ନେଇ ଭାରତ ଫେରିଛି । ବିମାନଟି ଶନିବାର ସକାଳୁ ପ୍ରାୟ ୭ଟା ୩୦ ସମୟରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନରେ ଲ୍ୟାଣ୍ଡ କରିଛି ।
ତେବେ ଚୀନରୁ ଫେରିଥିବା ଏହି ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭାରତୀୟ ସେନା ହରିୟାଣାର ମନୋସରରେ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିଛି । ଏହି ୱାର୍ଡରେ ପ୍ରାୟ ୩୦୦ ଲୋକଙ୍କୁ ରଖିବାର ସୁବିଧା ରହିଛି । ପ୍ରଥମେ ବିମାନବନ୍ଦରରେ ସେମାନଙ୍କର ସ୍କ୍ରିନିଂ ହେବ ତାପରେ ସେମାନଙ୍କୁ ମନୋସରସ୍ଥିତ ୱାର୍ଡକୁ ସ୍ଥାନାନ୍ତର କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ଦେହରେ କୋରୋନା ଭାଇରସର ଲକ୍ଷଣ ଦେଖାଯିବ ତାଙ୍କୁ ଦିଲ୍ଲୀ କ୍ୟାଂଟସ୍ଥିତ ଡାକ୍ତରଖାନାରେ ନିର୍ମିତ ସ୍ବତନ୍ତ୍ର ୱାର୍ଡରେ ଭର୍ତି କରାଯିବ ।
ସେପଟେ ଏହି ଭାରତୀୟଙ୍କୁ ଉଦ୍ଧାର କରିବାରେ ସହାୟତା କରିଥିବାରୁ ଚୀନ ସରକାରଙ୍କୁ ଧନ୍ୟବାଦ ଜଣାଇଛି ଭାରତ । ଚୀନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଟ୍ବିଟ କରି କୁହାଯାଇଛି, ‘କୋରୋନା ଭାଇରସ କବଳରେ ଥିବା ଚୀନର ହୁୱାଇ ପ୍ରାନ୍ତରୁ ୩୨୪ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରାଇ ନିଆଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ଉଡାଣର ସୁବିଧା ଦେବା ପାଇଁ ଚୀନ ସରକାରଙ୍କୁ ଧନ୍ୟବାଦ ।
ସୂଚନାଯୋଗ୍ୟ ଯେ, ଚୀନରେ ବ୍ୟାପିଥିବା କୋରୋନା ଭାଇରସ ଯୋଗୁଁ ଏବେସୁଦ୍ଧା ୨୫୮ ଲୋକଙ୍କର ପ୍ରାଣହାନୀ ହୋଇସାରିଥିବାବେଳେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏଥିରେ ଆକ୍ରାନ୍ତ ଥିବା ଜଣା ପଡିଛି ।