ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ପଦରୁ ବିତାଡ଼ିତ ଆଇପିଏସ୍ ଅଧିକାରୀ ଅବଶେଷରେ ଇସ୍ତଫା ଦେଇଛନ୍ତି । ତାଙ୍କୁ ଗତକାଲି ସିବିଆଇ ନିର୍ଦ୍ଦେଶକ ପଦରୁ ବହିଷ୍କାର କରାଯାଇ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଥିଲା । ସିବିଆଇ ନିର୍ଦ୍ଦେଶକ ପଦରୁ ପ୍ରଥମକରି ଦୁର୍ନୀତି ଅଭିଯୋଗରେ ବହିଷ୍କୃତ ହୋଇଥିବା ୧୯୭୯ ବ୍ୟାଚ୍ର ଆଇପିଏସ୍ ଅଫିସର ଆଲୋକ ବର୍ମା ଇସ୍ତଫା ଦେବା ପରିପ୍ରେକ୍ଷୀରେ କହିଛନ୍ତି, ପ୍ରକୃତ ନ୍ୟାୟ ମିଳୁନାହିଁ । ସାମୂହିକ ଆତ୍ମନିରୀକ୍ଷଣର ସମୟ ଆସିଛି । ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିରେ ମୋର କାର୍ଯ୍ୟଧାରା ପ୍ରତିଫଳିତ ହେଉ ନାହିଁ, ବରଂ ଗୋଟିଏ ସରକାର ସିବିଆଇ ଭଳି ଅନୁଷ୍ଠାନକୁ କେଉଁଭଳି ଦୃଷ୍ଟିରେ ଦେଖୁଛି, ତାହା ଏଥିରୁ ପ୍ରମାଣିତ ହେଉଛି । ମୋ ବିରୋଧରେ ଜଣେ ବ୍ୟକ୍ତି ଆଣିଥିବା ମିଥ୍ୟା ଓ ମନଗଢ଼ା ଅଭିଯୋଗକୁ ଭିତ୍ତିକରି ଉଚ୍ଚ କ୍ଷମତପନ୍ନ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତି ଦୁଃଖଦାୟକ । ଉଲ୍ଲେଖଯୋଗ୍ୟ ଯେ, ବର୍ମା ଓ ସିବିଆଇର ନମ୍ବର ୨ ସ୍ୱତନ୍ତ୍ର ସିବିଆଇ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦରୁ ଏହି ତଦନ୍ତକାରୀ ସଂସ୍ଥାର ସ୍ୱରୂପ ପଦାରେ ପଡ଼ିଥିଲା । ବର୍ମା ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଘଟଣା ନେଇ ସିବିଆଇ ମାମଲା ରୁଜୁ କରିବା ପରେ ଏଭଳି ବିବାଦକୁ ଦୃଷ୍ଟିରେ ରଖି ସରକାର ୨ ଅଧିକାରୀଙ୍କୁ ଛୁଟିରେ ପଠାଇଦେଇ ଏମ୍ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କ ସପକ୍ଷରେ ମତଦେବାରୁ ସେ ଦୀର୍ଘ ୭୭ ଦିନ ଛୁଟିରେ ରହିବା ପରେ ଦାୟିତ୍ୱ ନେଇଥିଲେ । ମାତ୍ର ସେ କେତେକ ଅଧିକାରୀଙ୍କୁ ଅବିଚାରିତ ଭାବେ ବଦଳି କରି ପୁଣି ବିବାଦୀୟ ହୋଇଉଠିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଉଚ୍ଚ କ୍ଷମତାପନ୍ନ ଚୟନ କମିଟି ଆଲୋକ ବର୍ମାଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ । ଛୁଟିରୁ ଫେରି ଦାୟିତ୍ୱ ନେବାର ୩୬ ଘଣ୍ଟା ମଧ୍ୟରେ ତାଙ୍କୁ ବହିଷ୍କାର କରାଯାଇ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ଭାବରେ ଗତକାଲି ନିଯୁକ୍ତି ଦିଆଯାଇଥିଲା ବେଳେ ସେ ଆଜି ଇସ୍ତଫା ଦେଇଛନ୍ତି । ଅପରପକ୍ଷରେ ବର୍ମାଙ୍କ ସ୍ଥାନରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ପୁଣି ଥରେ ଦାୟିତ୍ୱ ନେଇଥିବା ଏମ୍ ନାଗେଶ୍ୱର ରାୟ ଆଜି ବର୍ମାଙ୍କ ସମସ୍ତ ବଦଳି ନିର୍ଦ୍ଦେଶକୁ ବାତିଲ କରିଛନ୍ତି ।

Comments (0)
Add Comment