ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଏକଚାଟିଆ ନିଷ୍ପତ୍ତି ନ ନେବାକୁ ସୁପ୍ରିମକୋର୍ଟ ବର୍ମାଙ୍କୁ ତାଗିଦ୍ କରିଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଇଛନ୍ତି । ତା’ ସହିତ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି । ଆଲୋକ ବର୍ମାଙ୍କୁ ଦୁଇବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି ଦିଆଯାଇଥିଲା । ତାଙ୍କର ଦୁଇବର୍ଷିଆ କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥାନ୍ତା । ଗତ ଅକ୍ଟୋବରରେ ବର୍ମାଙ୍କ ସମେତ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ବାଧ୍ୟ କରି ଛୁଟିରେ ପଠାଇ ଦେଇଥିଲେ । ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଆଲୋକ ବର୍ମା । ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସିବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ ଆଗତ ମାମଲାର ବିଚାର କରିବାକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅଛି । ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତା’ ସହିତ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ସିଭିସି ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଏକଚାଟିଆ ନିଷ୍ପତ୍ତି ନ ନେବାକୁ ବର୍ମାଙ୍କୁ ତାଗିଦ୍ କରାଯାଇଛି । ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅନୁପସ୍ଥିତିରେ ଜଷ୍ଟିସ୍ ଏସ୍କେ କୌଲ ଓ ଜଷ୍ଟିସ୍ କେଏମ୍ ଯୋଶେଫ ମାମଲାର ରାୟ ଘୋଷଣା କରିଥିଲେ । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍(ସିଭିସି)ଙ୍କ ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଥିଲେ ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ପ୍ରତିକ୍ରିୟାରେ କହିଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇର ନିରପେକ୍ଷତା ଓ କାର୍ଯ୍ୟଶୈଳୀ ପ୍ରତି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ସିବିଆଇ ପ୍ରତି ଲୋକଙ୍କ ସମ୍ମାନବୋଧ ବଜାୟ ରଖିବା ପାଇଁ ସରକାର ସିଭିସିଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିଥିଲେ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପଛରେ ସରକାରଙ୍କ ହୀନ ଉଦ୍ଦେଶ୍ୟ ନଥିଲା ।