କେରଳରେ ହାଇ ଆଲର୍ଟ

ନୂଆଦିଲ୍ଲୀ:ସେନାର ଦକ୍ଷିଣ କମାଣ୍ଡୋର ଜେନେରାଲ ଅଫିସର କମାଣ୍ଡର-ଇନ-ଚିଫ ଲେଫ୍ଟନାଣ୍ଟ ଜେନେରାଲ ଏସକେ ସାଇନୀ କହିଛନ୍ତି ଯେ ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ହସ୍ତଗତ ହୋଇଛି । ଲେଫ୍ଟନାଣ୍ଟ ଜେନେରାଲ ଏସକେ ସାଇନୀ କହିଛନ୍ତି ଗୁଇନ୍ଦା ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଦକ୍ଷିଣ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ସେ କହିଛନ୍ତି, “ଆମକୁ ସୂଚନା ମିଳିଛି ଯେ ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଗୁଜୁରାଟର ସର କ୍ରିକରୁ କିଛି ଡଙ୍ଗା ଜବତ କରଯାଇଛି । ଆତଙ୍କୀ ଏବଂ ବିରୋଧୀଙ୍କ ସବୁ ଆଶାକୁ ଧୂଳିସାତ କରିବା ପାଇଁ ଆମ ସମସ୍ତ ସତର୍କତା ଅବଲମ୍ୱନ କରୁଛୁ” । 

କେରଳ ପୁଲିସର ମହାନିର୍ଦ୍ଦେଶକ ଲୋକନାଥ ବେହେରା ଏହି ମାମଲାରେ କହିଛନ୍ତି ଯେ,” ରାଜ୍ୟର ସବୁ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ସେ କହିଛନ୍ତି, ସେନା ଦ୍ୱାରା ଦିଆଯାଇଥିବା ଆତଙ୍କବାଦୀ ଚେତାବନୀକୁ ନଜରରେ ରଖି ରାଜ୍ୟର ସବୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି” । ସାରା ରାଜ୍ୟର ପୁଲିସକର୍ମୀଙ୍କୁ ସାର୍ବଜାନୀନ ସ୍ଥାନରେ ସତର୍କତା ଅବଲମ୍ୱନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାମ୍ମୁ କାଶ୍ମୀରରୁ ଧାରା୩୭୦ ଉଚ୍ଛେଦ କରାଯିବା ପରେ ବିଚଳିତ ହୋଇ ଉଠିଥିବା ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଭାରତୀର ଗୁଇନ୍ଦା ବିଭାଗ ଗୁଡିକ ସତର୍କ କରିଥିଲେ । ଏହାପରେ କୋଏମ୍ୱଟୁରରେ କିଛି ଆତଙ୍କବାଦୀ ଜଳପଥ ଦେଇ ପ୍ରବେଶ କରିଥିବା ଖବର ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ସାରା ଦେଶରେ ଆଲର୍ଟ ଜାରି କରାଯିବା ସହ କେରଳ ଏବଂ ଗୋଆ ପରି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା ।

Comments (0)
Add Comment