ଜାକର୍ତ୍ତା : ଉଦ୍ଯାପିତ ହୋଇଛି ଅଷ୍ଟାଦଶ ଏସୀୟ କ୍ରୀଡା । ଜାକର୍ତ୍ତା ଏସିଆନ୍ କ୍ରୀଡାରେ ଭାରତ ଏଥର ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ୧୫ ଗୋଲଡ୍ ସହ ମୋଟ ୬୯ଟି ପଦକ ହାସଲ କରି ଏସିଆନ୍ ଗେମ୍ସରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦର୍ଜ କରିଛି। ପଦକ ତାଲିକାରେ ଚୀନ୍ ଟପରେ ଥିବାବେଳେ ଅଷ୍ଟମ ସ୍ଥାନରେ ରହିଛି ଭାରତ । ସରିଛି ଏସିଆନ୍ ଗେମ୍ସ । ପୂର୍ବ ଅପେକ୍ଷା ଏଥର ଏସିଆନ୍ ଗେମସରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ । ମୋଟ୍ ୬୯ଟି ପଦକ ହାତେଇଛି । ଯେଉଁଥିରେ ରହିଛି ୧୫ ଗୋଲଡ୍, ୨୪ ଟି ରୌପ୍ୟ ଓ ୩୦ ଟି କାଂସ୍ୟ ପଦକ ।
ପ୍ରଥମ ଥର ଭାରତ ପାଇଁ ସିପକ ଟାକ୍ରୋରେ ପଦକ ଆସିଛି । ସେହିଭଳି ରାହି ସର୍ଣ୍ଣୋବତ ମହିଳା ସୁଟିଂ ବିଭାଗରେ ଭାରତ ପାଇଁ ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଭିନେଶ ପୋଗତ ମହିଲା ରେସଲିଂରେ ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାତେଇ ଭାରତ ପାଇଁ ଇତିହାସ ରଚିଛନ୍ତି । ଏଥର ଏସିଆନ୍ ଗେମସରେ ଭାରତ ପକ୍ଷରୁ ରବି କୁମାର ଓ ଅପୂର୍ବୀ ଚାନ୍ଦେଲା ପଦକ ଜିତି ଅଭିଯାନ ଆରମ୍ଭ କରିଥିବା ବେଳେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ହାତେଇବା ଶେଷ ପଦକ ଥିଲା । ବିଗତ ସବୁ ସଂସ୍କରଣକୁ ଟପି ଭାରତ ଏଥର ନିଜ ଏସିଆଡ୍ ଇତିହାସର ସର୍ବାଧିକ ପଦକ ଜିତି ନେଇଛି। ଭାରତ ୨୦୧୦ ଦୋହା ଏସିଆନ୍ ଗେମ୍ସରେ ୧୩ ଟି ସ୍ବର୍ଣ୍ଣ ଜାତିଥିଲା । ହେଲେ ପଦକ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଚୀନ୍ ୧୩୨ ସ୍ବର୍ଣ୍ଣ ୯୨ ରୌପ୍ୟ ଓ ୬୫ କାଂସ୍ୟ ସହ ମୋଟ୍ ୨୮୯ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ସେହିଭଳି ୭୫ ସ୍ବର୍ଣ୍ଣ , ୫୬ ରୌପ୍ୟ ଓ ୭୪ ବ୍ରୋଞ୍ଜ ସହ ମୋଟ୍ ୨୦୫ ପଦ ସହ ଦ୍ବିତୀୟ ସ୍ଥାନରେ ରହିଛି ଜାପାନ । ରପବ୍ଲିକ ଅଫ କୋରିଆ ୪୯ ସ୍ବର୍ଣ୍ଣ, ୫୮ ରୌପ୍ୟ ଓ ୭୦ ବ୍ରୋଞ୍ଜ ସହ ୧୭୭ ପଦକ ଜିତି ତୃତୀୟ ସ୍ଥାନରେ ରହିଛି । ଆୟୋଜକ ଇଣ୍ଡୋନେସିଆ ୩୧ ସ୍ବର୍ଣ୍ଣ ୨୪ ରୌପ୍ୟ ଓ ୪୩ ବ୍ରୋଞ୍ଜ ପଦକ ସହ ମୋଟ୍ ୯୮ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି ।
ଉଦ୍ଯାପନୀ ଉତ୍ସବରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ତ୍ରିରଙ୍ଗା ଧରିଛନ୍ତି । ଏଥର ଏସିଆନ ଗେମ୍ସରେ ଭାରତର ୫୫୦ ଜଣ କ୍ରୀଡାବିତ୍ ଭାଗ ନେଇଥିଲେ । ଓଡିଶାର ଦୂତି ଚାନ୍ଦ ବ୍ୟକ୍ତିଗତ ଇଭେଣ୍ଟରେ ୧୦୦ ମିଟର ଓ ୨ ଶହ ମିଟରରେ ଦୁଇଟି ରୌପ୍ୟ ଜିତି ଭାରତ ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି । ସେହିପରି ମହିଳା ହକିରେ ଭାରତ ରୌପ୍ୟ ଜିତି ଥିବା ବେଳେ ଏଥିରେ ଓଡିଶାର ୪ ଜଣ ଖେଳାଳି ସୁନିତା ଲାକ୍ରା, ନମିତା ଟପ୍ପୋ, ନୀଳିମା ମିଞ୍ଜ ଓ ଦୀପ ଗ୍ରେସ୍ ଏକ୍କା ରହିଥିଲେ । ସେହିଭଲି ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିଥିବା ବେଳେ ଓଡ଼ିଶାର ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଦଳର ସଦସ୍ୟ ଥିଲେ । ଏଥର ମୋଟ୍ ୮ ଜଣ ଓଡିଆ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବା ବେଳେ ୭ଜଣ ପଦକ ହାତେଇଛନ୍ତି ।