ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମରୁ ରାତି ଅଧରେ ହଷ୍ଟେଲ ଛାଡିଲେ ୨୯ ଅନ୍ତେବାସୀ। ଗତ ରାତିରେ ଛାତ୍ରୀମାନେ ହଷ୍ଟେଲ ଛାଡିଥିବା ବେଳେ ବର୍ତମାନ ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରିନି। ତେବେ ଗଲାବେଳେ ସେମାନେ ହଷ୍ଟେଲ କାନ୍ଥରେ ଏକ କାଗଜ ମାରି ଯାଇଛନ୍ତି । ଯେଉଁଥିରେ ଲେଖାଯାଇଛି ଆମେ ଜିଲ୍ଲାପାଳଙ୍କ ପାଖକୁ ଯାଉଛୁ । ପ୍ରଶ୍ନ ଉଠୁଛି କାହିଁକି ଏକ ସମୟରେ ୨୯ ଜଣ ଛାତ୍ରୀ ହଷ୍ଟେଲ ଛାଡିଲେ ।
ହଷ୍ଟେଲ ଛାଡ଼ିଲେ ୨୯ ଅନ୍ତେବାସୀ । ବର୍ତ୍ତମାନ ସୁଦ୍ଧା ମିଳିନି କାହାରି ପତ୍ତା । ଚିନ୍ତାରେ ଅଭିଭାବକ, ଚିନ୍ତାରେ ପ୍ରଶାସନ । ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମରୁ ୨୯ ଜଣ ଛାତ୍ରୀ ଗତରାତିରେ କୁଆଡ଼େ ଚାଲିଯାଇଛନ୍ତି । ହଷ୍ଟେଲ ଛାଡିଥିବା ଛାତ୍ରୀମାନେ ନବମ ଶ୍ରେଣୀର । ସେମାନେ ହଷ୍ଟେଲ ଛାଡିବା ପୂର୍ବରୁ ଜିଲ୍ଲାପାଳଙ୍କ ପାଖକୁ ଯାଉଥିବା ନେଇ ଏକ କାଗଜରେ ଲେଖି କାନ୍ଥରେ ଲଗାଇ ଦେଇ ଯାଇଛନ୍ତି। ତେବେ ଛାତ୍ରୀମାନେ ଜିଲ୍ଲା ପାଳଙ୍କପାଖକୁ ଯାଇନାହାନ୍ତି। କେଉଁ ପରିସ୍ଥିତିରେ ଏତେ ପିଲା ଏକ ସମୟରେ ହଷ୍ଟେଲ ଛାଡ଼ିଲେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ସେମାନଙ୍କୁ ଖୋଜିବାରେ ପ୍ରଶାସନ ନାକେଦମ ହେଲାଣି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୪ ଟିମ ଆର. ଉଦୟଗିରି ଓ ମୋହନା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି।
ଜିଲ୍ଲା ମଙ୍ଗଳ ଅଧିକାରୀ, ମୋହନା ବିଡିଓ, ଆର.ଉଦୟଗିରି ବିଡିଓ, ସ୍ଥାନୀୟ ଏସଡିପିଓ ଏବଂ ଆଡ଼ବା ଥାନା ପୋଲିସ ମିଳିତ ଭାବେ ଖୋଜା ଖୋଜିରେ ଲାଗିଛନ୍ତି । ଗଜପତି ଜିଲ୍ଲାପାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଡିଡବ୍ଲୁଓ କହିଛନ୍ତି, ଶିକ୍ଷକମାନଙ୍କ ମଧ୍ୟରେ ସହଯୋଗ ନାହିଁ । ଯେଉଁଥି ପାଇଁ ପିଲାମାନେ ହଷ୍ଟେଲ ଛାଡ଼ିଥାଇ ପାରନ୍ତି।
ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୂର୍ବରୁ ମଧ୍ୟ ପିଲାମାନଙ୍କର ଅସନ୍ତୋଷ ରହିଥିଲା । ଏବେ ତାହା ଉଗ୍ର ରୂପ ନେଇଥିବାରୁ ପିଲାମାନେ ହଷ୍ଟେଲ ଛାଡ଼ିଥିବା ସନ୍ଦେହ କରାଯାଉଛି ।