ଭୁବନେଶ୍ବର : ମଙ୍ଗଳବାର ଆରମ୍ଭ ହେବ ମୌସୁମୀ ଅଧିବେଶନ। ତେବେ କଣ ରହିବ ଗୃହର ଦୃଶ୍ୟ। ସରକାର ଓ ବିରୋଧୀ ମୁହାଁମୁହିଁ ହେବେ ନା ପୂର୍ବ ଭଳି ଏକତରଫା ବିଲ୍ ପାସ କରାଇନେବେ। ଗତ ବିଧାନସଭାର ଅଧୁରା ପ୍ରସଙ୍ଗକୁ ବିରୋଧୀ ପୁଣି ଟାଣି ହଙ୍ଗମା କରିବେ ବୋଲି ଆଭାସ ଦେଇଛନ୍ତି। । ଆରମ୍ଭରୁ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଉଠବସ କରିବେ ବିରୋଧୀ।
ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ୧୧ ଦିନ ବସୁଥିଲେ ବି ପ୍ରସଙ୍ଗ କିନ୍ତୁ ରହିଛି ଅନେକ। ବିଧାନସଭା ପରିଷଦ ସଂକଳ୍ପ ବିଧାନସଭାରେ ଆଗତ ହେବ । ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟକୁ ପାସ୍ କରାଇବେ ସରକାର। ସେପଟେ ବିରୋଧୀ ଫସଲ ବୀମା, ଶିକ୍ଷକ ସମସ୍ୟା, ଲେକାୟୁକ୍ତ ନିଯୁକ୍ତିକୁ ସରକାରଙ୍କୁ ଘେରିବା ଲାଗି ଯୋଜନା କରିଛନ୍ତି। ଗତ ଅଧିବେଶନରେ ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ କୋର୍ଟକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଯାହାକୁ ନେଇ ଦୁଇ ଦିନ ଧରି ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ। ଏହା ସହ ବିରୋଧୀଙ୍କୁ ଚକମା ଦେବା ପାଇଁ ସରକାରୀ ଦଳ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ମହାନଦୀ ପ୍ରସଙ୍ଗ, ପୋଲାଭରମ ଏବଂ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବେ ।
ବିଧାନସଭା ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତାକାଲି ଅପରାହ୍ନ ୫ଟା୩୦ରେ ବିଧାନସଭାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ଏବଂ ୬ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସୁଥିବା ବେଳେ ବିଜେପି ବିଧାୟକ ଦଳ ବୈଠକ ଅପରାହ୍ନ ୩ଟାରେ ରାଜ୍ୟ କାର୍ଯ୍ୟଳୟରେ ବସିବ। ଏହ ସହ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ମଙ୍ଗଳବାର ଦିନ ଶୋକ ପ୍ରସ୍ତାବ ଆସିବ ।