ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ବଲାଙ୍ଗିର : ସନ୍ଥ କବି ଭୀମଭୋଇଙ୍କ ନାଁରେ ନାମିତ ବାଲାଙ୍ଗିର ମେଡିକାଲ କଲେଜ ଆଜି ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଲେଜର ଲୋକାର୍ପଣ କରି ସମଗ୍ର ବଲାଙ୍ଗିରବାସୀଙ୍କ ସ୍ୱପ୍ନ ସାକାର ହୋଇଥିବାରୁ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଭୀମ ଭୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଯେ ବଲାଙ୍ଗିରରେ ମେଡିକାଲ୍ କଲେଜ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବି ଥିଲା । ସ୍ୱାସ୍ଥ୍ୟସେବାର ଉନ୍ନତି କ୍ଷେତ୍ରରେ ଏହି ମେଡିକାଲ କଲେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ମେଡିକାଲ କଲେଜରେ ନାମ ଲେଖାଇଥିବା ବଲାଙ୍ଗିରର ୧୬ ଜଣ ଓ ବରଗଡ଼ର ୧୩ ଜଣ ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି । ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।

୨୦୦୦ ମସିହାରେ ରାଜ୍ୟରେ ୩୨୧ଟି ଏମ୍ବିବିଏସ୍ ସିଟ୍ ଥିଲା ବେଳେ ଭୀମଭୋଇ ମେଡିକାଲ୍ କଲେଜ ଲୋକାର୍ପିତ ହେବା ପରେ ଏହାର ସଂଖ୍ୟା ୯୫୦କୁ ବୃଦ୍ଧି ପାଇଛି । ଆସନ୍ତା ମାସରେ ବାଲେଶ୍ୱରରେ ଫକୀର ମୋହନ ମେଡିକାଲ୍ କଲେଜ ଲୋକାର୍ପିତ ହେବା ପରେ ଏହି ସଂଖ୍ୟା ୧୦୫୦କୁ ଟପିବ । ଛାତ୍ରଛାତ୍ରୀମାନେ ନିଜ ବୃତ୍ତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହ ସେବା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଥିରେ ଯୋଗଦେଇ କହିଲେ ଯେ ଆଜି ବଲାଙ୍ଗିରଠାରେ ନୂତନ ମେଡିକାଲ କଲେଜ ଉଦ୍ଘାଟିତ ହୋଇଥିବାରୁ ମୁଁ ବେଶ୍ ଆନନ୍ଦିତ । ଏହି ମେଡିକାଲ କଲେଜ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜମାନଙ୍କ ମଧ୍ୟରେ ଗୋଟିଏ ହେବ ବୋଲି ମୋ ଆଶା । ଏହି ଅନୁଷ୍ଠାନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଉକ୍ରୃଷ୍ଟ ଡାକ୍ତର ସୃଷ୍ଟି କରିପାରିବ । ଏହି ହସ୍ପିଟାଲରେ ୩୦୦ ଶଯ୍ୟା ସହ ଆଇସିୟୁ, ଏସଏନସିୟୁ, ପ୍ରତ୍ୟେକ କ୍ଲିନିକାଲ୍ ଡିପାର୍ଟମେଣ୍ଟ ସକାଶେ ପୃଥକ୍ ଓପିଡି ସୁବିଧା ରହିଛି ।

ସେହିପରି ୨୦୧୮-୧୯ ଶିକ୍ଷାବର୍ଷ ସକାଶେ ଏହି କଲେଜ ପାଇଁ ୧୦୦ଟି ଏମ୍ବିବିଏସ୍ ସିଟ୍ ମଞ୍ଜୁର କରାଯାଇଛି । ଦେଶରେ ବର୍ତ୍ତମାନର ସ୍ୱାସ୍ଥ୍ୟସେବା ସେକ୍ଟରର ଚାଲେଞ୍ଜକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ସରକାର ଦେଶରେ ସ୍ୱାସ୍ଥ୍ୟସେବାର ବ୍ୟାପକ ପ୍ରସାର ନିମନ୍ତେ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଭାରତ ସରକାର ଓଡ଼ିଶାର ବିକାଶ ପାଇଁ ବଚନବଦ୍ଧ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଜିଲ୍ଲାରେ ଏଭଳି ନୂତନ ମେଡିକାଲ କଲେଜ ସ୍ଥାପନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ସେଗୁଡ଼ିକ ହେଲା, ବାଲେଶ୍ୱର, ବାରିପଦା (ମୟୂରଭଞ୍ଜ), ବଲାଙ୍ଗିର, କୋରାପୁଟ ଏବଂ ପୁରୀ । କେବଳ ପୁରୀକୁ ଛାଡ଼ି ଅନ୍ୟ ସବୁଗୁଡ଼ିକ ଏବେସୁଦ୍ଧା କାର୍ଯ୍ୟକାରୀ ହୋଇସାରିଛି । ଏହି ଯୋଜନାକୁ ଆଗକୁ ଆଗେଇ ନେବାରେ ଏବଂ ୪ଟି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିଥିବା ପ୍ରୟାସ ଲାଗି ମୁଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ଏହି ୫ଟି ମେଡିକାଲ କଲେଜ ସ୍ଥାପନ ସକାଶେ କେନ୍ଦ୍ର ସରକାର ମୋଟ ୫୫୮.୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ଯୋଗଦେଇ କହିଲେ, ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ୧୬୭ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ୬୯ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାରେ ଡାକ୍ତର ଅଭାବ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି । ମେଡିକାଲ କଲେଜ ନିର୍ମାଣ ହେବା ପଛରେ ଶ୍ରେୟ ଜନସାଧାରଣଙ୍କ ରହିଛି ବୋଲି ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂଦେଓ କହିବା ସହିତ ବଲାଙ୍ଗିରରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ବାଇପାସ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗିର ମେଡିକାଲ୍ କଲେଜ ଲୋକାର୍ପିତ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ । ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ସେ ଦାବି କରିଥିଲେ

। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, କଲେଜର ଡିନ୍ ଡ. ମେହେର ପ୍ରମୁଖ ଏଥିରେ ଯୋଗଦେଇ ଥିଲେ । ଡ. ମେହେର ସୂଚନା ଦେଇଥିଲେ ଯେ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ୨୭ ଏକର ଜମି ଯୋଗାଇ ଦେଇଛନ୍ତି । ୧୮୭.୧୭ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ନିର୍ମାଣ କରାଯାଇଛି । କଲେଜରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଭିତ୍ତିଭୂମି ରହିଛି । ପୂର୍ବରୁ ଦୈନିକ ୬୦୦ ରୋଗୀ ଆଉଟଡୋରକୁ ଆସୁଥିବା ବେଳେ ବର୍ତ୍ତମାନ ତାହା ୧୪୦୦ରେ ପହଞ୍ଚିଲାଣି । ଆଗାମୀ ଦିନରେ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏହି କଲେଜ ମାଇଲଖୁଣ୍ଟ ସାଜିବ ବୋଲି ଡ.ମେହେର କହିଥିଲେ । ଡ.ନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments (0)
Add Comment