ଭୁବନେଶ୍ବର : ବମିଖାଲ ଓଭର୍ ବ୍ରିଜ୍ ଅଘଟଣ ପାଇଁ ଠିକା କଂପାନି ପଣ୍ଡା ଇନଫ୍ରା ହିଁ ଦାୟୀ । ଅଘଟଣ ସଂକ୍ରାନ୍ତ ତଦନ୍ତ ରିପୋର୍ଟ, ଆଜି ସରକାରଙ୍କର ହସ୍ତଗତ ହୋଇଛି । ତେବେ ରିପୋର୍ଟରେ ଇଞ୍ଜିନିୟରଙ୍କୁ ଖସାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଆସିବା ପରେ ବିଜେପି ଓ କଂଗ୍ରେସ, ସରକାରଙ୍କୁ ପ୍ରତି ସମାଲୋଚନାକୁ ତୀବ୍ର କରିଛନ୍ତି । ସେପଟେ କମିଶନରେଟ୍ ପୋଲିସ୍, ପଣ୍ଡା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ ଗିରଫ କରିଛି । ବମିଖାଲ ଓ ଲିଙ୍ଗରାଜ ଓଭରବିଜ୍ର ନିର୍ମାଣରୁ ପଣ୍ତା କମ୍ପାନିକୁ ବାଦ ଦିଆ ଯାଇଥିବା ବେଳେ ସମ୍ବଲପୁର ଏବଂ ଜଟଣୀ ଓଭରବ୍ରିଜ ନିର୍ମାଣ ପାଇଁ ସାନି ଟେଣ୍ତର ଡକାଇବା ପାଇଁ ଆଇନଗତ ଦିଗ ନେଇ ତର୍ଜମା କରୁଛନ୍ତି ସରକାର ।
ବମିଖାଲ ଓଭରବ୍ରିଜ ଅଘଟଣ ପାଇଁ କଂପାନି ଦାୟୀ, ସରକାରୀ ବାବୁଙ୍କୁ ମାଫ୍ । ବ୍ରିଜ ଦାୟିତ୍ୱରେ ଥିବା ଇଂଜିନିୟରଙ୍କର ଦୋଷ ନାହିଁ । ସବୁ ଦୋଷ ପଣ୍ଡା ଇନଫ୍ରାର । ଅଘଟଣର ତଦନ୍ତ କରୁଥିବା ୩ ଜଣିଆ କମିଟି ତାର ରିପୋର୍ଟରେ ଏହା କହିଛି । ରିର୍ପୋଟ ଅନୁଯାୟୀ, ସମ୍ପୃକ୍ତ କଣ୍ଟ୍ରାକ୍ଟର ଦକ୍ଷ ଶ୍ରମିକ ନିୟୋଜନ କରି ନଥିଲେ । ନିର୍ମାଣ ବେଳେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଏପରିକି ରଡ ବାନ୍ଧିବା ପରେ ଯାଞ୍ଜ ପାଇଁ ପୂର୍ତ୍ତ ବିଭାଗକୁ କଂପାନି, ଚିଠି କରି ନଥିବା ରିର୍ପୋଟରେ ଉଲ୍ଲେଖ ଅଛି । ପଣ୍ତା ଇନଫ୍ରାକୁ ବମିଖାଲ, ଲିଙ୍ଗରାଜ, ଜଟଣୀ ଏବଂ ସମ୍ବଲପୁର ଓଭର୍ ବ୍ରିଜ୍ ନିର୍ମାଣ କାମରୁ ବାଦ ଦିଆଯାଇଛି । ବମିଖାଲ ଏବଂ ଲିଙ୍ଗରାଜ ଓଭରବ୍ରିଜ କାମ ନିଜେ ପୂର୍ତ୍ତ ବିଭାଗ କରିବ । ସମ୍ବଲପୁର ଏବଂ ଜଟଣୀ ପାଇଁ ସାନି ଟେଣ୍ଡର୍ ଡାକିବାକୁ ଆଇନଗତ ଦିଗ ତର୍ଜମା କରୁଛନ୍ତି ସରକାର ।
ସେପଟେ କମିଶନରେଟ୍ ପୋଲିସ୍, ପଣ୍ତା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ ଜଟଣୀରୁ ଗିରଫ କରିଛି । ଘଟଣାରେ ପୋଲିସ ନିଜ ଆଡୁ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଜଣଙ୍କୁ ଗିରଫ କରାଯାଇଛି ।
ତଦନ୍ତ ରିପୋର୍ଟ ଏବଂ ସରକାରଙ୍କ ପଦକ୍ଷେପ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । ସରକାରୀ ବାବୁଙ୍କୁ ଖସାଇ ଦେବାକୁ ଭରପୂର୍ ଉଦ୍ୟମ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ବ୍ରିଜ୍ ନିର୍ମାଣରେ ବ୍ୟାପକ ହେରଫେର ହୋଇଛି, ଯାହାର ଗଦାଗଦା ପ୍ରମାଣ ଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ସରକାରକୁ ଆସିଲେ, କମିଶନ ବସାଇ ସେସବୁର ପର୍ଦ୍ଦାଫାଶ୍ କରିବ ବୋଲି କହିଛି କଂଗ୍ରେସ ।
ବମିଖାଲ ଓଭରବ୍ରିଜ୍ ନିର୍ମାଣରୁ ପଣ୍ଡା ଇନଫ୍ରାକୁ ବାଦ୍ ଦିଆ ଯାଇଥିବା ବେଳେ ଖୁବ୍ ଶୀଘ୍ର ସରକାର ନିଜେ କାମ ଆରମ୍ଭ କରିବେ । ଦୁଇ ମାସ ଭିତରେ ପୂରା କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।