ଦିଲ୍ଲୀ : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ଆଜି ଭାରତ ବନ୍ଦ କରିଥିଲେ । ଦିଲ୍ଲୀରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାମଲୀଳା ମଇଦାନରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ । କର୍ଣ୍ଣାଟକ, ଓଡ଼ିଶା, ଆସାମ ଏବଂ କେରଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ବନ୍ଦ ପାଳନ ବେଳେ ବିହାରରେ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଟ୍ରେନ୍ ଅଟକାଇବା ସହ ବସ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ ।ବିହାର ଜହାନାବାଦରେ ବନ୍ଦ ଯୋଗୁଁ ଏକ ଆମ୍ବୁଲାନସ ଭିଡ଼ରେ ଫଶିଯାଇଥିବାରୁ ଠିକ୍ ସମୟରେ ହସପିଟାଲରେ ପହଞ୍ଚି ନପାରି ପ୍ରାଣ ହରାଇଥିଲା ୨ବର୍ଷର ଶିଶୁ ।
ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହେଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରୁଥିଲେ ରାହୁଲ ଗାନ୍ଧି । ସେପଟେ ମୋଦି ସରକାରକୁ ବଦଳାଇବାର ସମୟ ଖୁବ୍ ଶୀଘ୍ର ଆସି ପହଞ୍ଚବ ବୋଲି କହୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।
ତେଲ ତାତିକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ କଂଗ୍ରେସ ଓ ବିରୋଧୀ ଦଳଙ୍କ ଭାରତ ବନ୍ଦ ବିଫଳ ହୋଇଛି କହି ପାଲଟା ନିଶାନା ସାଧିବାକୁ ଚେଷ୍ଟା କରୁଥିଲା ବିଜେପି ।କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଯୁକ୍ତି ଥିଲା, ତୈଳଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ନାହିଁ । ଇରାନ ଏବଂ ଭେନଜୁଏଲାରେ ରାଜନୈତିକ ଅସ୍ଥିରତା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତର ବଢ଼ିବାରେ ଲାଗିଛି । ଭାରତ ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ।
କୋଉଠି ଶଗଡ଼ଗାଡ଼ିରେ କେଉଁଠି ଘୋଡ଼ାଗାଡ଼ିରେ ବୁଲୁଥିଲେ ଆନ୍ଦୋଳନକାରୀ । ପୁଣି କୋଉଠି ପେଟ୍ରୋଲ ପମ୍ପରେ ଚାଲିଥିଲା ଭଙ୍ଗାରୁଜା । ବିହାର ଜହାନାବାଦରେ ଆନ୍ଦୋଳନକାରୀଙ୍କ ଯୋଗୁଁ ଭିଡ଼ରେ ଏକ ଆମ୍ବୁଲାନସ୍ ଫଶିଯିବାରୁ ଠିକ୍ ସମୟରେ ହସପିଟାଲ ପହଞ୍ଚି ନପାରି ୨ବର୍ଷର ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ମଧ୍ୟ ହୋଇଛି ।
ଆଜି ତେଲ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀଙ୍କ ଭାରତ ବନ୍ଦ ସତ୍ବେ ତେଲ ଦର ବଢ଼ିବାରେ ଲାଗିଛି । ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଭଳି କିଛି ରାଜ୍ୟ ତେଲ ଉପରୁ ଭ୍ୟାଟ୍ କମାଇଛନ୍ତି । ତେଲ ଦର ବୃଦ୍ଧି ଏବଂ ବିରୋଧୀଙ୍କ ହୋ-ହଲ୍ଲାକୁ ଦେଖିବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏମିତିରେ ତେଲ ଦରରେ ନିୟନ୍ତ୍ରଣ ଆଣିବାକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କିଛି ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି ।