ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ବହୁ କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ବିଜେପି ମଣ୍ଡଳ ସଭାପତିଙ୍କ ସହ ୫୦ରୁ ଊଦ୍ଧ୍ୱର୍ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ କାର୍ଯ୍ୟକ୍ରମରେ ୭ନଂ ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ନଂ ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟଭାମା ମଲ୍ଲିକ, ତାପସ କୁମାର ମହାପାତ୍ର, ଖାନନଗର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ଖିତିରଞ୍ଜନ ନାୟକ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଗଦାଧର ସାହୁ, ପର୍ଶୁରାମ ମିଶ୍ର, ମନୋଜ କୁମାର ବିଶ୍ୱାଳ, ସଂଖ୍ୟାଲଘୁ ମୋର୍ଚ୍ଚାର ଏସ୍‍.କେ. ଆଲ୍ଲାଉଦ୍ଦିନ୍‍, ମହିଳା ମୋର୍ଚ୍ଚାର ତିଳୋତ୍ତମା ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, କୃଷକ ମୋର୍ଚ୍ଚାର ଅଲେଖ ଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚାର ଫକୀର ଚରଣ ସାହୁ, ଶଙ୍କର୍ଷଣ ସାମଲ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଜିଲ୍ଲା ପରିଷଦ ସଭ୍ୟ, ମଣ୍ଡଳ ସଭାପତି ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ନିର୍ବାଚିତ ପ୍ରତିନିଧି, ସଦସ୍ୟ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଯାଜପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।
ଏହି ଅବସରରେ ବିଧାୟିକା ଶ୍ରୀମତୀ ମଲିକ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ଏବଂ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି ବିଜେପିର ନିର୍ବାଚିତ ପ୍ରତିନିଧିମା ଓ କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଆମେ ସମସ୍ତେ ଏକାଠି ହୋଇ ଦଳ ପାଇଁ କାମ କରିବୁ ।

Comments (0)
Add Comment