ଭୁବନେଶ୍ୱର : କଣ୍ଣାଟକରେ ସରକାର କରିବାକୁ କିଣା ବିକା ରାଜନୀତି ହେଉଥିବା ଚର୍ଚ୍ଚା ଚାଲିଥିବାବେଳେ ଏହାର ସାଇଡ ଇଫେକ୍ଟ ପଡିଛି ରାଜ୍ୟ ରାଜନୀତିରେ । ବିଜେପି ୨୦୧୯ ନିର୍ବାଚନରେ ବିଜେଡିର ବିଧାୟକଙ୍କୁ କିଣିବା ଲାଗି ୪୦ ବିଧାୟକଙ୍କୁ ବଇନା ଦେଇଛି ବୋଲି ଏପରି ବିଷ୍ପୋରକ ବୟାନ ମନ୍ତବ୍ୟ ଦେଇଛନ୍ତି ବିଜେଡିର ପୂର୍ବତନ ଉପସଭାପତି ପୂର୍ବତନ ମନ୍ତ୍ରୀ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । ଅବଶ୍ୟ ଏହି କଥା କହିବାବେଳେ ବିଧାୟକ ଡାକ୍ତର ଦାମୋଦର ରାଉତ କହିଛନ୍ତି ବିଜେପି ୪୦ ବିଧାୟକଙ୍କୁ କିଣିବାକୁ ଏବେଠୁ ଆଡଭାନ୍ସ ଦେଇଥିବା ତାଙ୍କ ଜଣେ ବନ୍ଧୁ ତାଙ୍କୁ କହିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମନ୍ତବ୍ୟ ରଖି କହିଛନ୍ତି “ଜଣେ ବନ୍ଧୁ ମୋତେ କହିଲେ ଯେ, ବିଜେପି ଆଡଭାନ୍ସ ଦେଇଛି। ବିଜେଡିର ୪୦ ଜଣ ବିଧାୟକଙ୍କୁ ଆଡଭାନ୍ସ ଦେଇଛି ବିଜେପି। ୨୦୧୯ରେ ବିଧାୟକ ଭାବେ ଜିତିଲେ ବିଜେପିକୁ ସେମାନେ କୁଆଡେ ସମର୍ଥନ ଦେବେ। କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି କରି ବିଜେପିକୁ ସେମାନେ ସମର୍ଥନ ଦେବେ।” ଡାକ୍ତର ରାଉତବି ଇଙ୍ଗିତ କରିଛନ୍ତି ଯେ, ଆଗାମୀ ନିର୍ବଚନରେ କିଛି ବିଜେଡି ବିଧାୟକଙ୍କର ଟିକେଟ ବି କଟୁଛି। ଦାମ କହିଛନ୍ତି, – “ଯାହାକୁ ବିଜେପି ଆଡଭାନ୍ସ ଦେବ, ସେ ରହିବା କ’ଣ ଗ୍ୟାରେଣ୍ଟି ଅଛି ? ଆଉ ଆଡଭାନ୍ସ ପାଇଥିବା ବିଧାୟକ ଯେ ପ୍ରାର୍ଥୀ ହେବେ ତା’ର ବି କିଛି ଗ୍ୟାରେଣ୍ଟି ନାହିଁ। ହେଲେ ଓଡ଼ିଶାରେ ବିଜେପିର ସ୍ଥିତି ରହିବନି।” ତେବେ ଦାମଙ୍କ କଥାରେ ସତ୍ୟତା କେତେ, ତାଙ୍କ ଗଣିତ କେତେ ଠିକ୍ ଓ କେତେ ଭୁଲ୍ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଏହା ବିଜେଡି ସମର୍ଥକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ବିଜେପିର କିଣାବିକା କାରବାରକୁ ପଦାରେ ପକାଇ ଦେଇଛି।
ବାସ୍ତବରେ ତାଙ୍କର ଏହି କଥା ପଦକରେ ଡାକ୍ତର ରାଉତ ଉଭୟ ବିଜେପି ଓ ବିଜେଡିକୁ ବାଣ ମାରିଛନ୍ତି। ବିଶେଷକରି ସେ ବିଜେପିର ରଣନୀତି ସଂପର୍କରେ ଏକ ଆଡଭାନ୍ସ ବୋମା ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଡାକ୍ତର ରାଉତ ନିଜର ଜଣେ ବନ୍ଧୁଙ୍କ କଥାକୁ ହିଁ ମିଡିଆ ଆଗରେ ଉପସ୍ଥାପନ କରିଛନ୍ତି। କିନ୍ତୁ ସେ ବନ୍ଧୁ କିଏ ସେ ସଂପର୍କରେ କିଛି କହିନାହାଁନ୍ତି। କିନ୍ତୁ ଏହା ଯେ ବିଜେଡି ପାଇଁ ଏକ ସତର୍କ ଘଣ୍ଟି ତାହା ନିଶ୍ଚିତ।