ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ପଂଚମ ଦିନରେ ପଂହଚିଛି । ରାଜ୍ୟରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରାଇବା ଏବଂ ନାରୀମାନଙ୍କ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ବିଫଳତା ପ୍ରସଙ୍ଗରେ ବିଜେପି ମହିଳାମୋର୍ଚ୍ଚା ଏହି ମହିଳା ସୁରକ୍ଷାଯାତ୍ରା ଆରମ୍ଭ କରିଛି ।
ମହିଳା ସୁରକ୍ଷାଯାତ୍ରାର ପଂଚମ ଦିନରେ ରାଜ୍ୟର ମହିଳାମାନେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ରାଜ୍ୟସରକାରଙ୍କୁ ଦାୟୀ କରିଛନ୍ତି । ରାଜ୍ୟର ସମସ୍ତ ବର୍ଗର ମହିଳାମାନେ ଏହି ସୁରକ୍ଷାଯାତ୍ରାକୁ ବିପୁଳ ସମର୍ଥନ ଦେଇଛନ୍ତି । ଏହି ସୁରକ୍ଷା ଯାତ୍ରା ମାଧ୍ୟମରେ ମହିଳାମାନେ ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି ।
ପଂଚମ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ ନବରଂଗପୁର ଜିଲ୍ଲା ଧୋଡ୍ରା ,ଦାବୁଗାଁ, କୋଡିଗାଁ, ପାପଡାହାଣ୍ଡି, ମେନ୍ତ୍ରୀ, ଇନ୍ଦ୍ରାବତୀ ଏବଂ ନବରଗଂପୁର ଆଦି ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରିଥିଲେ । ନାରୀମାନେ ଏବେଠୁ ସଜାଗ ହୁଅନ୍ତୁ । ଆଉ କେତେ ଦିନ ଅତ୍ୟାଚାର ସହିବେ, ଏବେ ନିଜର ହକ୍ ପାଇଁ ପ୍ରତିବାଦ କରିବାର ସମୟ ଆସିଛି ବୋଲି ଶ୍ରୀମତି ସିଂହଦେଓ ଆହ୍ୱାନ ଦେଇଛନ୍ତି ।
ପଦଯାତ୍ରା, ପଥପ୍ରାନ୍ତ ଏବଂ ସାଧରଣସଭା ମାଧ୍ୟମରେ ମହିଳାଙ୍କୁ ସଚେତନ କରାଯାଉଛି
ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ନାରୀମାନଙ୍କ ପ୍ରତି ମାତ୍ରାଧିକ ଅପରାଧ ଏବଂ ହିଂସା ବୃଦ୍ଧି ପାଇଛି
ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇଥିବା ମହିଳାମାନେ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି
ଓଡିଶା ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ
ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି । ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ନାରୀମାନଙ୍କ ପ୍ରତି ମାତ୍ରାଧିକ ଅପରାଧ ଏବଂ ହିଂସା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ କେବଳ ନିଜର ଆତ୍ମ ପ୍ରଚାରକୁ ଛାଡିଦେଲେ ଆଉ କିଛି ଜାଣନ୍ତି ନାହିଁ ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି ।
ପଂଚମ ଦିନରେ ବିଧାୟିକା ରାଧାରାଣୀ ପଣ୍ଡା ବରଗଡ ଜିଲ୍ଲା ଅତାବିରାଠାରେ ସାଧାରଣ ସଭାରେ ଯୋଗଦେଇ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଦୃଢ ନିନ୍ଦା କରିଥିଲେ । ଅପରାହ୍ନରେ ବରଗଡଠାରେ ସାଧାରଣ ସଭା ମାଧ୍ୟମରେ ମହିଳାମାନଙ୍କୁ ଶ୍ରୀମତି ପଣ୍ଡା ସଚେତନତା ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାର ଉପରେ ବର୍ଷିଥିଲେ ।
ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି । ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏକ ଉଦବେଗଜନକ ସ୍ଥିତିରେ ରହିଛି । ଓଡିଶା ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ ବୋଲି ଶ୍ରୀମତି ପଣ୍ଡା କହିଛନ୍ତି ।
ପଂଚମ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଅପରାହ୍ନରେ ବାଲେଶ୍ୱର ଟାଉନ ଗାନ୍ଧୀ ସ୍ତୁତି ଭବନଠାରେ ଏକ ସାଧାରଣ ସଭାରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ ।
ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ମାମଲାର ଦଣ୍ଡବିଧାନ କ୍ଷେତ୍ରରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୧୮.୯ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ମାତ୍ର ୬.୨ ପ୍ରତିଶତ ଅଛି । ଏହି ରିପୋର୍ଟରୁ ଅନୁମାନ ହେଉଛି କି ଶାସକ ବିଜେଡି ବଳାକ୍ରାରୀମାନଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଆଜି ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ଆର.ଉଦୟଗିରିଠାରେ ସାଧାରଣ ସଭା, ରାୟଗଡା ଏବଂ ପାରଳା ଖେମୁଣ୍ଡିଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ରାୟଗଡା ଜିଲ୍ଲା ଗୁଣୁପୁରଠାରେ ସାଧାରଣ ସଭା ଦ୍ୱାରା ମହିଳାମାନଙ୍କୁ ସଚେତନ କରାଇବା ସହ ମହିଳାଙ୍କ ପ୍ରତି ହେଉଥିବା ଆତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ଶ୍ରୀମତି ପଟ୍ଟନାୟକ ନାରୀମାନଙ୍କ ପ୍ରତି ହେଉଥିବା ଅପରାଧ ରୋକିବାରେ ରାଜ୍ୟସରକାରଙ୍କ ବିଫଳତା ବଖାଣିବା ସହ ନାରୀମାନଙ୍କୁ ସୁରକ୍ଷାର ବାର୍ତା ଦେଇଥିଲେ ।
ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।