ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ:ମନମୋହନ ସାମଲ

ଆଜି ସକାଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ଦେଇଥିବା ମନ୍ତବ୍ୟକୁ ନେଇ ମେଣ୍ଟ ହେବାର ଆଶଙ୍କା କରାଯାଇଥିବାବେଳେ ଏବେ ଏଥିରେ ପକାଇଛନ୍ତି ପୂର୍ଣ୍ଣଛେଦ। ମଧ୍ୟାହ୍ନରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ସ୍ପଷ୍ଟ କରିଛନ୍ତି।

ମନମୋହନ କହିଛନ୍ତି,ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ି। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଓଡ଼ିଶାର ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ।

ଏଥିସହ ସେ କହିଛନ୍ତି, କେନ୍ଦ୍ରରେ ତୃତୀୟ ଥର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ କରିବ । ଲୋକଙ୍କ ସାହାଯ୍ୟ, ସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ । ଓଡ଼ିଶା ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆସନ୍ତାକାଲି ଅପରାହ୍ନରେ ନିର୍ବାଚନ କମିଟି ବସି ସବିଶେଷ ରିପୋର୍ଟ କେନ୍ଦ୍ରୀୟ ବିଜେପି ନେତାଙ୍କ ନିକଟକୁ ପଠାଯିବ । ତେଣୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି।

ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ବିଜେପି ନିଜ ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିବା ବେଳେ ଓଡ଼ିଶାର ଗୋଟିଏ ବି ସିଟ୍‌ ନାଁ ଉଲ୍ଲେଖ ନାହିଁ। ଅପରପକ୍ଷେ, ବିଜେଡି ମଧ୍ୟ ଏଯାବତ ନିଜ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ। ଏହାବାଦ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ବୈଠକ ଏହି ମେଣ୍ଟ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଉଥିଲା।

ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି,ବିଜେପି ଏକା ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରି ଆସୁଥିଲେ। ମାତ୍ର ଏହାପରେ ବି ମେଣ୍ଟ ହେବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା।

BJP will fight alone and form government in Odisha: Manmohan Samal
Comments (0)
Add Comment