ମାତିବ ମହିଳା ମୋର୍ଚ୍ଚ.ସୋସିଆଲ୍ ମିଡିଆରେ ପ୍ରଚାର ହେବ କେନ୍ଦ୍ରୀୟ ଯୋଜନା

ଭୁବନେଶ୍ୱର : ମହିଳାମାନଙ୍କର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥି ସହ ତୃଣମୂଳ ସ୍ତରରେ ବସବାସ କରୁଥିବା ସମସ୍ତ ମହିଳା ଗୋଟିଏ ପ୍ଲାଟ୍ଫର୍ମ ମାଧ୍ୟମରେ ଯୋଡ଼ି ହୋଇ ନିଜର ଅଧିକାର ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ । ଆବାଳ ବୃଦ୍ଧ ବନିତାଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି । ସେହି ଯୋଜନା ସମ୍ବନ୍ଧରେ ଜାଣିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାଗୁଡିକୁ ସୋସିଆଲ ମିଡିଆ ମାଧ୍ୟମରେ ପହଞ୍ଚାଇବା ପାଇଁ ବିଜେପି ମହିଳା ମୋର୍ଚ୍ଚା ମହାଅଧିବେଶନର ପ୍ରଥମ ଦିନର ସୋସିଆଲ ମିଡିଆ ବୈଠକରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି । ଶ୍ରୀମତୀ ରାହତକର୍ କହିଛନ୍ତି, ଦିନକୁ ଦିନ ସୋସିଆଲ୍ ମିଡିଆର ଶକ୍ତି ବୃଦ୍ଧି ପାଉଛି । ଗାଁଠୁ ସହର ପର୍ଯ୍ୟନ୍ତ ଏବେ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଏହାକୁ ଆଧାର କରି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ଏହି ଦାୟିତ୍ୱ ହାତକୁ ନେଇ କାର୍ଯ୍ୟ କରିବେ ।

ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ରାହତକର କହିଛନ୍ତି । ଆଜି ଏକ ବିଶାଳ ସ୍କୁଟି ଶୋଭାଯାତ୍ରାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ରାହତକରଙ୍କୁ ବିମାନବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଶତାଧିକ ସଂଖ୍ୟାରେ ଛାତ୍ରୀ, ଯୁବତୀ ଓ ମହିଳାମାନେ ଏକାଠି ହୋଇ ଶ୍ରୀମତୀ ରାହତକରଙ୍କୁ ସ୍ୱାଗତ କରିଥିଲେ । ଦଳୀୟ କାର୍ଯ୍ୟାଳୟରେ ଶ୍ରୀମତୀ ରାହତକର ପହଞ୍ଚି ସୋସିଆଲ ମିଡିଆ ବୈଠକରେ ଉପସ୍ଥିତ ରହି ସୋସିଆଲ ମିଡିଆର ଗୁରୁତ୍ୱ ଏବଂ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ବୁଝାଇଥିଲେ । ପରେ ଶ୍ରୀମତୀ ରାହତକର ଭଦ୍ରକର ଚରମ୍ପାରେ ଆୟୋଜିତ ଉଜ୍ଜଳାର ରୋଷେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତାକାଲି ମହିଳା ଅଧିବେଶନର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହେବ । ଏହି ବୈଠକରେ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ପ୍ରାର୍ଥୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବରିଷ୍ଠ ନେତାମାନେ ଯୋଗ ଦେବେ ।

ଏହି ବୈଠକରେ ଶ୍ରୀମତୀ ରାହତକର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବେ ବୋଲି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆଜିର ସୋସିଆଲ ମିଡିଆ ବୈଠକରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ଉପସଭାପତି କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ବିଜୟାଲକ୍ଷୀ୍ମ ମହାପାତ୍ର, ଐଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାସ, ବବିତା ପାତ୍ର, ସୋସିଆଲ ରାଜ୍ୟ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ର, ସୁଜାତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment