ଭୁବନେଶ୍ବର : ପ୍ରକୃତି ଓ ପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଦେଖାଦେଇଛି ବିରଳ ପ୍ରଜାତିର କଳା ବାଘ ବା ବ୍ଲାକ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ଜଙ୍ଗଲରେ ଏହାକୁ ଠାବ କରାଯାଇଛି । ବନ ବିଭାଗ ଦ୍ବାରା ଲଗାଯାଇଥିବା କ୍ୟାମେରାରେ ଏହି କଳା ବାଘର ଚିତ୍ର ମିଳିଛି । ତା ସହିତ ଏକ କଲରପତରିଆ ବାଘ ବି ବୁଲୁଥିବାର ଦେଖିବାକୁ ମିଳିଛି ।ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ । ସୁନ୍ଦରଗଡ଼ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ହେମଗିରି ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ଏହି କଳା ବାଘକୁ ଠାବ କରିଛି ବନ ବିଭାଗ । ଏଠାରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ଏହି ବିରଳ ବାଘ ବୁଲୁଥିବା ଚିତ୍ର ମିଳିଛି । ତା ସହିତ ଅନ୍ୟଏକ କଲରପତ୍ରିଆ ବାଘ ବି ଥିବା ଦେଖିବାକୁ ମିଳିଛି । କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସଂପୂର୍ଣ୍ଣ କଳା । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ମେଲାନିଷ୍ଟିକ ଟାଇଗର ଅଛନ୍ତି । ତେବେ ସାରା ବିଶ୍ବରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବ୍ଲାକ୍ ପାନ୍ଥର ଓ ମେଲାନିଷ୍ଟିକ ଟାଇଗର ଦେଖାଯାଇଥିବା ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।
୯୦ ଦଶକରେ ଓଡ଼ିଶାରେ କଳା ବାଘ ଦେଖାଯାଇଥିବା କୁହାଯାଇଥିଲେ ହେଁ ପ୍ରଥମ ଥର ପାଇଁ ଏହା କ୍ୟାମେରାରେ ଧରାପଡ଼ିଛି। ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା। କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଛି । ଏଭଳି ବିରଳ ପ୍ରଜାତିର ବାଘ ସାଧାରଣତଃ ଦକ୍ଷିଣ ଭାରତର ଘଞ୍ଚ ଜଙ୍ଗଲରେ ଦେଖାଯାଇଥାଏ । ଅନ୍ୟ ବାଘଙ୍କ ଭଳି ଏହି ବାଘର ଯତ୍ନ ନିଆଯିବ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି ।