ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତେଜନା, ୫୦ରୁ ଅଧିକ ଟ୍ରକ ଭାଙ୍ଗିଦେଲେ

ବାଲଶ୍ବର : ବାଲଶ୍ବର ମାଲଗୋଦାମ ଅଞ୍ଚଳରେ ଟ୍ରକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତେଜନା । ଉତ୍ତ୍ୟକ୍ତ ଲୋକେ ୫୦ରୁ ଅଧିକ ଟ୍ରକରେ ଭଙ୍ଗାରୁଜା କରିଛନ୍ତି । ଟ୍ରକ ଆସୋସିଏସନ ଅଫିସରେ ଭଙ୍ଗାରୁଜା ସହ ପୋଡାଜଳା କରିଛନ୍ତି । ପ୍ରାୟ ଦୁଇ ଘଣ୍ଟାଧରି ଚାଲିଥିଲା ଏହି କାଣ୍ଡକାରନାମା । ପୋଲିସର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।  ବାଲେଶ୍ବର ମାଲଗୋଦାମ ଅଞ୍ଚଳରେ ଲଙ୍କାକାଣ୍ଡ। ଟ୍ରକ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ପୋଡାଜଳା, ଭଙ୍ଗାରୁଜା । ମୃତକ ରେଳ ବିଭାଗରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାବିତ୍ରୀ ଦେଇ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ୫୦ରୁ ଅଧିକ ଟ୍ରକର କାଚ ଭାଙ୍ଗି ଚୁନମାର କରିଦେଇଛନ୍ତି । ମାଲଗୋଦାମ ଟ୍ରକ ଆସୋସିଏସନ ଅଫିସ ଭିତରେ ପସି ଆସବାବପତ୍ର ଭାଙ୍ଗିବା ସହ କାଗଚପତ୍ର ଜାଳି ଦେଇଛନ୍ତି । କେବଳ ସେତିକି ନୁହେଁ, ମୃତକଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଲୋକ ମାଲଗୋଦମ ଛକରେ ଟାୟାରଜାଳି ଆନ୍ଦୋଳନ କରିଥିଲେ । ଟ୍ରକ ଚାଳକଙ୍କ ଭୁଲ ପାଇଁ ବୃଦ୍ଧାଙ୍କ ଜୀବନ ଯାଇଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି ।

ସମୟ ଦିନ ୧୨ଟା । ବଲେଶ୍ବର ଷ୍ଟେସନ ମାଲଗୋଦାମରୁ ସିମେଣ୍ଟ ଲୋଡିଂ ପାଇଁ ବ୍ୟାକ କରୁଥିବା ବେଳେ ସାବିତ୍ରୀଙ୍କୁ ଧକ୍କା ଦେଇଥିଲା ଟ୍ରକ । ଆହତ ସାବିତ୍ରୀଙ୍କୁ ତୁରନ୍ତ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।  ଆଉ ଇଏ ଥିଲା ତା ପରର ଦୃଶ୍ୟ । ୨ ଘଣ୍ଟା କାଳ ମାଲଗୋଦାମ ପରିସରରେ ଲଙ୍କାକାଣ଼୍ଡ ଘଟାଇଥିଲେ ଉତ୍ତ୍ୟକ୍ତ ଲୋକେ । ଟାଉନ ଥାନା, ସହଦେବ ଖୁଣ୍ଟା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଏହା ପରେ ଶାନ୍ତ ପଡିଥିଲା ପରିସ୍ଥିତି ।

Comments (0)
Add Comment