୧୩ ଜଣଙ୍କୁ ଜେରା : ସେହିପରି ଏବେ ପୁଲିସ୍ ଜୁନ୍ ୧୭ରେ ଘରର ନାତୁଣୀ ପ୍ରିୟଙ୍କାଙ୍କ ନିର୍ବନ୍ଧ ସମୟରେ ସେଠାରେ ଉପସ୍ଥିତ ଥିବା ୧୩ ଜଣଙ୍କୁ ଜେରା କରିଛି । ଏମାନେ ସେଦିନ ରାତିରେ ଭାଟିଆ ପରିବାର ସହ ରହିଥିଲେ । ତେଣୁ ସେମାନଙ୍କୁ ଜେରା କଲେ ପୁଲିସ୍ ଘଟଣା ଉପରୁ ପରଦା ଉଠାଇ ପାରିବ ବୋଲି ଆଶା କରିଛି । ଅନ୍ୟପକ୍ଷରେ ପୁଲିସ୍ ମୃତବ୍ୟକ୍ତିଙ୍କ ସାଇକୋଲୋଜିକାଲ ଶବବ୍ୟବଚ୍ଛେଦ କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ପୁଲିସ୍କୁ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ଯେଉଁମାନେ ଭାଟିଆ ପରିବାରକୁ ଜାଣିଥିଲେ ସେମାନଙ୍କ ସହ ଆଲୋଚନା କରି ପରିବାର ସମ୍ପର୍କରେ ଏକ ସ୍କେଚ୍ ଆଙ୍କିବାକୁ ଚାହୁଁଛି । ବିଶେଷ କରି ଭାଟିଆ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି କେମିତି ଥିଲା, ସେକଥା ଜାଣିବାକୁ ପୁଲିସ୍ ଉଦ୍ୟମ ଆରମ୍ଭ କରିଛି । ପୁଲିସ୍ ଏଥିପାଇଁ ବିଦ୍ୟା ସାଗର ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲଥ ଓ ନ୍ୟୁରୋ ସାଇନ୍ସ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଘରର ସାନପୁଅ ଲଳିତ ଭାଟିଆ ହିଁ ଏଭଳି ଆତ୍ମହତ୍ୟା କରିବାକୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇ ଥିବା ପୁଲିସ୍ ଜାଣିବାକୁ ପାଇଛି । ତେଣୁ ରାଜସ୍ଥାନର ଉଦୟପୁରରେ ରହୁଥିବା ଲଳିତଙ୍କ ପତ୍ନୀଙ୍କ ପରିବାର ଲୋକଙ୍କୁ ପଚାରାଉଚରା କରିବାକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଟିମ୍ ସେଠାରେ ପହଞ୍ଚିଛି । ପରିବାର ଲୋକ ଆତ୍ମହତ୍ୟା କରିବାକୁ ଚାହୁଁ ନଥିଲେ କିନ୍ତୁ ମୋକ୍ଷ ପାଇବା ପାଇଁ ତଥା ସୁଫଳ ପାଇବା ପାଇଁ ଏଭଳି ଝୁଲନ୍ତା ଅବସ୍ଥାରେ ରହିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି । ୧୩ ଜଣ ଲୋକଙ୍କୁ ପୁଲିସ୍ ଭାଟିଆ ପରିବାରର ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ଜେରା କରିଛି । ସେମାନେ ଦିନ ତମାମ କ’ଣ କରୁଥିଲେ, ସେମାନଙ୍କ ଆଚାର ବ୍ୟବହାର କେମିତି ଥିଲା, ସେ ସମ୍ପର୍କରେ ପୁଲିସ୍ ୧୩ ଜଣ ସଦସ୍ୟଙ୍କ ବୟାନ ରେକର୍ଡ କରିଛି । ବିଶେଷ କରି ଲଳିତଙ୍କ ସମ୍ପର୍କରେ ପୁଲିସ୍ ଅଧିକ ଖୋଳତାଡ଼ କରିଥିବା ଜଣାପଡ଼ିଛି । ଜେରା ବେଳେ ଜଣାପଡ଼ିଛି ଯେ ନିର୍ବନ୍ଧ ପରେ ବନ୍ଧୁବାନ୍ଧବ ଘରୁ ଚାଲିଯିବା ପରେ ଲଳିତ ଏକ ସ୍ୱତନ୍ତ୍ର ପୂଜାପାଠର ଆୟୋଜନ କରିଥିଲେ । ବରଗଛ ମୂଳେ ତପସ୍ୟା କରି ଫଳ ପାଇବାକୁ ଲଳିତ ଆଶା କରିଥିଲେ । ଏହି ଗଛକୁ ପୂଜା କଲେ ଭଗବାନ ଖୁସି ହେବେ ବୋଲି ଲଳିତକୁ ତୃତୀୟ ବ୍ୟକ୍ତି କହିଥିଲେ । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଲଳିତ ପୂଜାପାଠ ସହ ଅନ୍ଧବିଶ୍ୱାସରେ ବୁଡ଼ି ଯାଇଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି । ଉଲ୍ଲେଖଯୋଗ୍ୟ ରବିବାର ଭାଟିଆ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଘରର ବୟସ୍କା ମହିଳାଙ୍କ ମୃତଦେହ ଚଟାଣ ଉପରୁ ଉଦ୍ଧାର ହୋଇଥିଲା ।