ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା- ତୁଲୁ ରାସ୍ତାରେ ଏକ ବଡ ଧରଣ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟମାନଙ୍କର ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ କେସିଜି ଓ କେଲୁଆପାଳ ହସ୍ପିଟାଲକୁ ସ୍ଥାନାନନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ, ଦମକଳ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ସିଲକି ସିଟି ନାମକ ଏକ ଘରୋଇ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ ଚିକରଡାକୁ ଯାଉଥିଲା । ବିବାହ ଲାଗି ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଡଙ୍କଲପାଟୁର ଏକ ଗାଁ ଲୋକେ ଯାଉଥିଲେ । ମେଣ୍ଡରାଜପୁର ନିକଟରେ ଗାଁ ରାସ୍ତାରେ ଯାଉଥିବା ବେଳେ ବସଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ବସଟି ହଠାତ ଜଳି ଉଠିଥିଲା ।