ସମଦୂରତା ଅସ୍ତ୍ର : ମିଶନ ୧୨୦ ନୁହେଁ ୪୨୦- ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲ ମୁଖା ଖୋଲି ଯାଇଛି । ନବୀନ ବାରମ୍ବାର ଯେଉଁ ସମଦୂରତାର କଥା କହୁଥିଲେ ତାହା ଯେ, କେବଳ ଲୋକଦେଖାଣିଆ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ସ୍ପଷ୍ଟ ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ପୂର୍ବରୁ ବିଜେପି ଓ ବିଜେଡି ମିଳିମିଶି ରାଜ୍ୟବାସୀଙ୍କୁ ମିଛ କଥା କହି ଆସୁଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି କି, ଉଭୟ ଦଳ ଗୋଟିଏ ଗୋଷ୍ଠୀର । ଏହା ଜଣାପଡ଼ିବା ପରେ ପଥ ପରିଷ୍କାର ହୋଇଛି କି ରାଜ୍ୟରେ ଏକମାତ୍ର ବିରୋଧୀ ଦଳ କଂଗ୍ରେସ ବୋଲି ନିରଞ୍ଜନ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି କି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବାରମ୍ବାର ଓଡ଼ିଶା ଆସି ମିଶନ ୧୨୦ ସିଟ୍ ଦଖଲ କରିବେ ବୋଲି ଯେଉଁ କଥା କହୁଛନ୍ତି ତାହା କେବଳ ଧୂଆଁବାଣ । ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛି କି, ଶାହ ଓ ମୁଖ୍ୟମନ୍ତ୍ରୀ ଦୁହେଁ ମିଶିକରି ଓଡ଼ିଶାବାସୀଙ୍କୁ ଠକୁଛନ୍ତି । ଅମିତଙ୍କ ମିଶନ ୧୨୦ ସିଟ୍ କେବଳ ଓଡ଼ିଶାବାସୀଙ୍କ ପାଇଁ ୪୨୦ ବୋଲି ନିରଞ୍ଜନ କହିଛନ୍ତି । ଲୋକସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ରହୁନାହାନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ପଦଟିଏ କଥା କହୁନାହାନ୍ତି । କେବଳ ମହାନଦୀ ଓ ପୋଲାଭରମର ବାହାନା ଦେଖାଇ ରାଜ୍ୟ ସରକାର ଓ ବିଜୁ ଜନତା ଦଳର ନେତାମାନେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ସହ ନିରୀହ ଓଡ଼ିଶାବାସୀଙ୍କ ଭାବନା ସହ ଖେଳୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଦୁଇନେତା ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଉଭୟ ଦିଲ୍ଲୀରେ କମ୍ ରାଜ୍ୟରେ ଅଧିକ ଦିନ କାଟୁଛନ୍ତି । ତାଙ୍କ ଦଳର ମୁଖ୍ୟ ନରେନ୍ଦ୍ର ମୋଦି କିମ୍ବା ଅନ୍ୟ ବରିଷ୍ଠ ନେତାମାନେ ଓଡ଼ିଶା ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କଥା କହୁ ନ ଥିବା ବେଳେ ଉଭୟ କେନ୍ଦ୍ରମନ୍ତ୍ରୀ ମିଛଟାରେ ଗଣମାଧ୍ୟମରେ ରହିବା ପାଇଁ ପ୍ରହସନ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ଏଥିସହ ନିରଞ୍ଜନ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି କି, ଯଦି ସତ୍ସାହସ ଅଛି ତେବେ ଓଡ଼ିଶାରେ କଂଗ୍ରେସ ସହ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଭ୍ରଷ୍ଟାଚାର ସରକାରକୁ ନିପାତ କରିବାକୁ ଆଗେଇ ଆସିବା ନିମନ୍ତେ କହିଛନ୍ତି । ତେବେ ନିରଞ୍ଜନଙ୍କ ଏଭଳି କଟାକ୍ଷକୁ ନାପସନ୍ଦ କରିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା । ପରିଡ଼ା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବମ୍ବେରୁ ଫେରିବା ପରେ କେଉଁ କାରଣ ଯୋଗୁଁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଲଢ଼ୁଥିବା ଜେଡିୟୁ ନେତାଙ୍କୁ ସମର୍ଥନ କରିଛନ୍ତି ତାହା ସ୍ପଷ୍ଟ କରିଛନ୍ତି । ବିଜେଡି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପାଇଁ ନିର୍ବାଚନ ହେଉ ବୋଲି ପ୍ରଥମରୁ ଚାହୁଁ ନ ଥିଲା । ଯେଉଁ କାରଣରୁ ଦଳ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା । ଶେଷରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାରୁ ଏବଂ ଏଥିରେ ଜେଡିୟୁ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାରୁ ବିଜେଡି ସମ୍ପୃକ୍ତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । କାରଣ ଜେଡିୟୁ ଓ ବିଜେଡି ଉଭୟ ଦଳର ଆଦର୍ଶଗତ ଚିନ୍ତାଧାରା ସମାନ ବୋଲି ତେଜେଶ୍ୱର କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ହରିପ୍ରସାଦ ପୂର୍ବରୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଥିବା ବେଳେ ଯେଉଁଭଳି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାକୁ ସମାଲୋଚନା କରିଥିଲେ ତାହା ନିଶ୍ଚିତ ଭାବେ ଦୁଃଖଦାୟକ ତେଣୁ ତ୍ରାୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନ ଥିଲା ବୋଲି ତେଜେଶ୍ୱର କହିଛନ୍ତି । ତେଜେଶ୍ୱର ଏହା ମଧ୍ୟ କହିଛନ୍ତି କି, ଉଭୟ ରାଜ୍ୟସଭା ଓ ଲୋକସଭାରେ ଓଡ଼ିଶାରୁ କଂଗ୍ରେସ ଏବଂ ବିଜେପିର ନେତାମାନେ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ କେତେଥର ରାଜ୍ୟ ସ୍ୱାର୍ଥ ନେଇ ଉଭୟ ଗୃହରେ ତଥ୍ୟ ଉପସ୍ଥାପନା କରୁଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ତେଜେଶ୍ୱର । ନିରଞ୍ଜନଙ୍କ ବିବୃତି ନେଇ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କୁହନ୍ତି, କଂଗ୍ରେସ ଦଳ ଏଭଳି ରାଜନୀତି କରେ । କଂଗ୍ରେସର ମଧ୍ୟ ପୂର୍ବରୁ ସରକାର ଥିଲା । ସେମାନେ କେଉଁ ଭଳି ରାଜନୀତି କରନ୍ତି ତାହା ସମସ୍ତଙ୍କୁ ଜଣା । ପୂର୍ବରୁ କେନ୍ଦ୍ର ଟଙ୍କାରେ ୧୦୮ ଆମ୍ବୁଲାନ୍ସ ଓ ଟଙ୍କିକିଆ ଚାଉଳ ରାଜ୍ୟକୁ ମିଳୁଥିଲା । କିନ୍ତୁ କଂଗ୍ରେସ ସରକାରରେ ଥିବା ବେଳେ ଏହି ପ୍ରସଙ୍ଗରେ ଚୁପ୍ ରହୁଥିଲା । ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ରାଜ୍ୟବାସୀ ଜାଣିପାରିଲେ କି ଏହି ଦୁଇ ଯୋଜନାଟି ପ୍ରକୃତରେ କେନ୍ଦ୍ର ସରକାରଙ୍କ । ତେଣୁ ବିଜେଡି ଓ କଂଗ୍ରେସ ମଧ୍ୟରେ କେଉଁ ପ୍ରକାର ସମ୍ପର୍କ ରହିଛି ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ ବୋଲି ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସିବିଆଇକୁ ଭୟ କରି ନବୀନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବା ନେଇ ନିରଞ୍ଜନ ଯେଉଁ କଥା କହିଛନ୍ତି ସେ ନେଇ ଲେଖା କୁହନ୍ତି, ଭାଜପା ଏଭଳି ହୀନ ରାଜନୀତି କରେ ନାହିଁ । ସିବିଆଇକୁ ବ୍ୟବହାର କରିବାର କ୍ଷମତା ଭାଜପା ଦଳର ନୁହେଁ । କଂଗ୍ରେସ ଶାସନ ସମୟରେ ଏଭଳି ଏକ ସାମ୍ବିଧାନିକ ବିଭାଗକୁ ନିଜ ସପକ୍ଷରେ ବ୍ୟବହାର କରୁଥିଲା । ତେଣୁ ସେ ସଂକ୍ରାନ୍ତରେ କଂଗ୍ରେସକୁ ବେଶ୍ ଭଲ ଭାବରେ ଜଣାଥିବ ବୋଲି ଲେଖାଶ୍ରୀ ମତ ଦେଇଛନ୍ତି ।

Comments (0)
Add Comment