ଭୁବନେଶ୍ୱର: କୋରୋନା ଭାଇରସ୍ ଚୀନରେ ବ୍ୟାପି ଏଯାବତ୍ ୩୦୪ଜଣଙ୍କ ମୃତ୍ୟୁ କାରଣ ହୋଇଥିବାବେଳେ ବିଶ୍ୱବ୍ୟାପି ଏବେ ସୃଷ୍ଟି କରିଛି ମୁଣ୍ଡବ୍ୟଥା । ଅନ୍ୟପଟେ ଏହାର ମୁକାବିଲା କରିବା ପାଇଁ ଓଡ଼ିଶା ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଭାଇରସ ପାଇଁ କଂଟ୍ରୋଲ ରୁମ୍ ଖୋଲାଯାଇଥିବା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ଟି ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ଏହି ଜରୁରୀକାଳୀନ ନମ୍ବରଗୁଡ଼ିକରେ ଲୋକେ କୋରୋନା ଭାଇରସ୍ ସଂପର୍କିତ କିଛି ସୂଚନା ଥିଲେ କଲ କରିପାରିବେ। କଂଟ୍ରୋଲ ରୁମ୍କୁ ଯୋଗାଯୋଗ କରିବା ପାଇଁ ନମ୍ବରଗୁଡ଼ିକ ହେଲା, ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪।
ସୂଚନାଯୋଗ୍ୟ, କୋରୋନା ଭାଇରସ୍ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ପକ୍ଷରୁ ପୂର୍ବରୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କୋରୋନା ଭାଇରସ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।
ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ୱାର୍ଡ , ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।