କଟକ : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ବଢୁଛି ଗିରଫଦାରୀ ସଂଖ୍ୟା । ଟିଟୋର ଘନିଷ୍ଠ ସହଯୋଗୀ ଆସାଦିନ କାଦିର ଓରଫ ମାଛୁକୁ ଗିରଫ କରାଯାଇଛି । ଗତକାଲି ରାତିରେ ମାଛୁକୁ ଉଠାଇନେଇଛି କେନ୍ଦ୍ରାପଡା ପୋଲିସ । ଟିଟୋର ଆର୍ଥିକ କାରବାର ସହ ଠିକା କାମରେ ସହଯୋଗ କରୁଥିଲା ମାଛୁ । ସେପଟେ ଦାଦାବଟି ଓ ଟେଣ୍ଡର ଫିକ୍ସି ମାମଲାରେ କଟକ SDJM କୋର୍ଟରେ ଟିଟୋକୁ ହାଜର ପାଇଁ ନିର୍ଦ୍ଦେଶ ହୋଇଛି । …
ଏସଟିଏଫ ହାତରେ ବଡ଼ ମାଛ ମାଛୁ। ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀକୁ ଉଠାଇଲା ଏସ୍ଟିଏଫ୍ । ମାଛୁ ଓରଫ ଶେଖ ଅବଦୁଲ କାଦିରକୁ କାଲି ରାତିରେ କେନ୍ଦ୍ରାପଡାରୁ ଗିରଫ କରଛି । ମାଛୁ ଟିଟୋର ସମ୍ପର୍କୀୟ ଭାଇ ବବଲୁର ଖାସ୍ ଥିଲା। କେନ୍ଦ୍ରାପଡାର ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ଡରାଇ ଧମକାଇ ଟିଟୋ ପାଇଁ କାର୍ଯ୍ୟହାସଲ କରୁଥିଲା ମାଛୁ । କେନ୍ଦ୍ରାପଡା ତହସିଲ, ପୂର୍ତ୍ତ, ଜଳସମ୍ପଦ, ଡ୍ରେନେଜ ଓ ଆରଡି ବିଭାଗରେ କିଏ କେଉଁ କେଉଁ କାମ ନେବ ତାର ତାଲିକା ପ୍ରସ୍ତୁତ କରି ବିଭାଗୀୟ ଅଧିକାରୀଙ୍କୁ ଦେଉଥିଲା ମାଛୁ ।ଯେଉଁ ସରକାରୀ କର୍ମଚାରୀ ମାଛୁ କଥା ରଖୁନଥିଲେ ସେମାନଙ୍କୁ ଗନ ପଏଣ୍ଟରେ ମାଛୁ ଡରାଉଥିଲା । ମାଛୁ ନାଁରେ କେନ୍ଦ୍ରାପଡାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ।
ସେପଟେ ଆଇଓସିଏଲର ୫ଜଣ ଅଧିକାରୀ ଏସଟିଏଫରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅନୁଗୋଳ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଆଇଓସିଏଲ ବିଛାଉଥିବା ପାଇପଲାଇନ କାମରେ କିଛି ଲୋକ ବାଧା ସୃଷ୍ଟି କରୁଛନ୍ତି । ସେଠାରେ କାମ କରୁଥିବା ଲୋକଙ୍କୁ ବଟି ମଗାଯାଉଛି । ଏଥିରେ ଟିଟୋର ହାତ ଥିବା ସଂଦେହ କରାଯାଉଛି ।
ସେପଟେ ଟିଟୋକୁ କମିଶନରେଟ ପୋଲିସ ପଚରା ଉଚରା ଲାଗି ରିମାଣ୍ଡରେ ନେଇ ପାରେ । ୨୦୧୬ର ଏକ ଅପରାଧିକ ମାମଲାରେ ପୋଲିସ ନିଜ ଆଡୁ ମାମଲା ଦାୟର କରିଛି । ସେହି ମାମଲା ଆଧାରରେ ଟିଟୋକୁ କୋର୍ଟରେ ହାଜର କରିବା ଲାଗି କଟକ ସଦର ଏସଡିଜେଏମ ନିର୍ଦ୍ଦେଶ ଦେଇଛନ୍ତି । ଦାଦାବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ ଛନ୍ଦି ହୋଇଯାଇଛି ଟିଟୋ । ଆଗକୁ ଏହି ମାମଲା ଉପରେ ଚାଉଳିଆଗଞ୍ଜ ପୋଲିସ ଅଧିକ ଖୋଳତାଡ କରିବ । ଏହି ମାମଲାରେ ୧୦ ଜଣ ପୂର୍ବରୁ ଗିରଫ ହୋଇଛନ୍ତି । ହେଲେ ଟିଟୋ ସମେତ ଅନ୍ୟ ୮ ଅପରାଧୀ ପୋଲିସକୁ ଚକମା ଦେଇ ସେବେଠାରୁ ଫେରାର ଥିଲେ ।
୨୦୧୬ରେ ଟିଟୋ ଇସାରାରେ ତା ସହଯୋଗୀ କଟକ ସହରରେ ବନ୍ଧୁକ ମୁନରେ ଆଦାୟ କରୁଥିଲେ ଲକ୍ଷେ ଲକ୍ଷେ ଟଙ୍କାର ଦାଦବଟି । ଡ୍ରେନଜ ଡିଭିଜନ ଓ ଆରଆଣ୍ଡବି ରେ ଟିଟୋ ଇସାରରେ ହେଉଥିଲା ଟେଣ୍ଡର ଫିକ୍ସିଂ । ଯାହାକୁ ନେଇ ଟିଟୋ ସମେତ ୧୮ ସହଯାଗୀଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା । ଟିଟୋ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡି ହେବା ଟିଟୋକୁ ପଞ୍ଝା ଭିତରେ ପକାଇସାରିଲାଣି।