ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀର
ଭୁବନେଶ୍ବର : ବାଘ ଖୁଆଡରେ କୁମ୍ଭୀର ନାଟ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀର । ଧଳା ବାଘ ସମ୍ରାଟ ଓ ରେଣୁକା ରହୁଥିବା ଖୁଆଡ ନମ୍ବର – ୩୩ରେ ଥିବା ପାଣି ନିକଟରେ ଏକ ୪ ଫୁଟ ଲମ୍ବର କୁମ୍ଭୀର ଶୋଇ ରହିଥିବା ଦେଖିବାକୁ ପାଇଥିଲେ ପର୍ଯ୍ୟଟକ । ଏହାର ଫଟୋ ଓ ଭିଜୁଆଲ୍ ମୋବାଇଲରେ ନେଇଥିଲେ । ସମ୍ରାଟ୍ କୁମ୍ଭୀର ଆଡକୁ ଆସି ଝାମ୍ପ ମାରିବାକୁ ଉଦ୍ୟମ କରିବା କ୍ଷଣି କୁମ୍ଭୀରଟି ପାଣିକୁ ଲମ୍ଫ ମାରିଥିଲା । ସମ୍ରାଟ୍ କୁମ୍ଭୀରକୁ ବହୁତ ଖୋଜାଖୋଜି କରିଥିଲେ ବି ପାଇନଥିଲା । ପର୍ଯ୍ୟଟକମାନେ ପାଟି କରିବାରୁ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ହେଲେ ଏହା ବିଫଳ ହୋଇଛି । ପ୍ରଶ୍ନ ଉଠୁଛି ୪ ଫୁଟର ଏହି କୁମ୍ଭୀରଟି ବାଘ ଖୁଆଡକୁ ଆସିଲା କେମିତି ? ଖୁଆଡରେ ଧଳା ବାଘ ସମ୍ରାଟ , ବାଘୁଣୀ ରେଣୁକା ଏବଂ ତାର ମାସକର ଦୁଇଟି କଳାବାଘ ଛୁଆ ରୁହନ୍ତି । ବାଘୁଣୀ ରେଣୁକା ତାର ଛୁଆଙ୍କ ଯତ୍ନ ନେଉଥିବାରୁ କୁମ୍ଭୀରକୁ ଉଦ୍ଧାର କରାଯିବାରେ ବାଧା ଉପୁଜିଛି । ବାଘ ଓ ବାଘୁଣୀ ଖୁଆଡ ଘରେ ଲକ୍ କରାଯିବା ପରେ ଯାଇ କୁମ୍ଭୀରକୁ ଉଦ୍ଧାର କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।