ଦିଲ୍ଲୀ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣା : ରହସ୍ୟରୁ ହଟୁନି ପରଦା,ମୋକ୍ଷ ପାଇଁ !

ଦିଲ୍ଲୀ : ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣାର ରହସ୍ୟରୁ ହଟୁନି ପରଦା ।  ପୁଲିସ କାରଣ ସମ୍ପର୍କରେ ଯେତିକି ଖୋଳତାଡ଼ କରୁଛି, ଘଟଣାସେତିକି ରହସ୍ୟମୟ ହେବାରେ ଲାଗିଛି ।  ଭାଟିଆ ପରିବାରର ସଦସ୍ୟମାନଙ୍କ ଶବ ବ୍ୟବଚ୍ଛେଦରୁ ସେମାନେ ରଶିରେ ଝୁଲି ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । କାହାରି ଦେହରେ କୌଣସି କ୍ଷତଚିହ୍ନ ଦେଖିବାକୁ ମିଳିନାହିଁ । ଏହି ସମୂହ ମୃତ୍ୟୁର କାରଣ ଧର୍ମୀୟ ଅନ୍ଧବିଶ୍ୱାସ ହୋଇପାରେ ବୋଲି ପୁଲିସ ହାତରେ ପଡ଼ିଥିବା କିଛି ହାତଲେଖା କାଗଜରୁ ଜଣାପଡ଼ୁଛି । ତେବେ ପାନିପଥରେ ବିବାହ କରିଥିବା ଭାଟିଆ ପରିବାରର ଝିଅ ସୁଜାତା ଏହାକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି, କେହି ତାଙ୍କ ପରିବାରକୁ ହତ୍ୟା କରିଛି ।ଗତକାଲି ଏହି ପରିବାରର ୧୦ ଜଣଙ୍କ ମୃତଦେହ ଛାତର ଲୁହା ଗ୍ରିଲ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ତାଙ୍କର ମା’ ନାରାୟଣ ଦେବୀ(୭୭)ଙ୍କ ମୃତଦେହ ପାଖ ରୁମ୍ରେ ଚଟାଣରେ ପଡ଼ିଥିବା ଦେଖାଯାଇଥିଲା । କ୍ରାଇମ୍ ବ୍ରାଞ୍ଚ୍ ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତିକରି ପୁଲିସ କହିଛି ଯେ, ୨ ଜଣ ନାବାଳକ ଓ ସେମାନଙ୍କର ଜେଜେ ମାଆ ନାରାୟଣ ଦେବୀଙ୍କ ସମେତ ୮ ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ନାରାୟଣ ଦେବୀଙ୍କୁ ଶ୍ୱାସରୁଦ୍ଧ କରି ମାରିଦିଆଯାଇ ଥିବାର ପୂର୍ବରୁ ସନ୍ଦେହ କରାଯାଉଥିଲା । କିନ୍ତୁ ତାଙ୍କର ‘ଆଂଶିକ ଝୁଲନ୍ତା ଅବସ୍ଥା’ରେ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଶବ ମିଳିଥିବା ରୁମ୍ର ପାଖ ଘରୁ ପୁଲିସ୍ କେତେକ ହାତଲେଖା ନୋଟ୍ ପାଇଛି । ଏଥିରେ ଧର୍ମୀୟ ଆଚରଣ ସମ୍ପର୍କିତ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି । ସେହି ଅନୁଯାୟୀ ପରିବାର ସମୂହ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ଇତିମଧ୍ୟରେ ଏମ୍ସର ଜଣେ ମାନସିକ ରୋଗ ବିଶେଷଜ୍ଞ ଏହି ଘଟଣାର ‘ମନସ୍ତାତ୍ତ୍ୱିକ ବ୍ୟବଚ୍ଛେଦ’ (ସାଇକୋଲୋଜିକାଲ୍ ଅଟୋପ୍ସି) କରାଯିବାକୁ ମତ ଦେଇଛନ୍ତି । ବୁରାରି ଅଞ୍ଚଳରେ ଭାଟିଆ ପରିବାରର ବିଲ୍ଡିଙ୍ଗ୍ରେ ଅନୁସନ୍ଧାନ ବେଳେ ଏକ ଅଜବ ଦୃଶ୍ୟ ପୁଲିସ ନଜରକୁ ଆସିଛି । ଏହି ବିଲ୍ଡିଙ୍ଗ୍ର ଏକ କାନ୍ଥରେ ୧୧ଟି ପାଇପ୍ ଦେଖିବାକୁ ମିଳିଛି । ତେବେ କେଉଁ ଉଦ୍ଦେଶ୍ୟରେ ଏହି ପାଇପ୍ ଲଗାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ୧୧ ଜଣଙ୍କ ମୃତ୍ୟୁ ସହ ଏହି ୧୧ଟି ପାଇପ୍ର କୌଣସି ସମ୍ପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ତେଣୁ ଏହା ପଛରେ କୌଣସି ଧର୍ମୀୟ ଅନ୍ଧ ବିଶ୍ୱାସ କାର୍ଯ୍ୟ କରିଥାଇ ପାରେ ବୋଲି ଅନୁମାନ କରାଯାଉଛି । ସମ୍ପର୍କୀୟଙ୍କ ଅନୁମତି କ୍ରମେ ୧୧ ମୃତକଙ୍କ ଚକ୍ଷୁଦାନ କରାଯାଇଛି ।

Comments (0)
Add Comment