ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ରଥଟଣାରେ ସାମିଲ ହୋଇ ନିଜକୁ ଜଣେ ଓଡିଆ ଭାବେ ଧନ୍ୟ ମଣିଥିଲେ । ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଦେଶବିଦେଶରୁ ଆସିଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଆଜି କେନ୍ଦ୍ରମନ୍ତ୍ରୀ ଦିନତମାମ ପୁରୀରେ ରହି ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ । ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆଜି ହେଉଛି ସାରା ବିଶ୍ୱପାଇଁ ପବିତ୍ର ଦିବସ । ବିଶ୍ୱର ସମସ୍ତ ନାଗରିକ ମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରିର୍ବାଦ ରହୁ । ଏହା ସହ ଦେଶପ୍ରତି ଓ ରାଜ୍ୟପ୍ରତି ଆଶ୍ରିର୍ବାଦ ରହୁ ଏହାହିଁ ମହାପ୍ରଭୁଙ୍କ ପାଖରେ ନିବେଦନ । ମହାପ୍ରଭୁ ସବୁ ଓଡିଆଙ୍କ ଜୀବନରେ ଆହୁରି ଉନ୍ନତି ଆଣନ୍ତୁ ଏହା ହିଁ ମୋର ମହାପ୍ରଭୁଙ୍କ ପାଖରେ କାମନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ରଥଯାତ୍ରା ଅବସରରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଥମେ ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପୁରୀକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରିଥିଲେ । ସେହିପରି ଭାରତ ବିକାଶ ପରିଷଦର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାଦ ବଂଟନ କରିବା ସହ କ୍ରୀଡା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଆମ୍ବୁଲାନ୍ସ ସେବାକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।