ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ: “ମୁଖ୍ୟମନ୍ତ୍ରୀଙ୍କ ନିରବତା କଳାପାହାଡ଼ ମାନସିକତା ସୃଷ୍ଟି କରିଛି’-ଧର୍ମେନ୍ଦ୍ର

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା କଳାପାହାଡ଼ ମାନସିକତାର ପରିଚୟ ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡ଼ିଆ ଜାତି ବିବ୍ରତ
ଥିଲା ବେଳେ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିଛନ୍ତି । ଗତ ଅପ୍ରେଲ୍ ୪ରେ ରତ୍ନଭଣ୍ଡାର ସୁରକ୍ଷା ଯାଞ୍ଚ ଦିନ ଠାରୁ ଚାବି ହଜିବା ସରକାରଙ୍କୁ ନଜରକୁ ଆସିବା ବେଳେ ଘଟଣାକୁ ଦୀର୍ଘ ଦିନ ଧରି ଲୁଚାଯାଇଥିଲା କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱରୁ ଅବ୍ୟାହତି ପରେ ଡୁପ୍ଲିକେଟ୍ ଚାବି ମିଳିବା ଲୋକଙ୍କୁ ଆହୁରି ସନ୍ଦେହ ଘେରକୁ ଟାଣିଛି । ରତ୍ନ ଭଣ୍ଡାର ଚାବି ନେଇ ଆଇନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ବୟାନରେ ତାଳମେଳ ନରହିବା ରାଜ୍ୟବାସୀଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିଛି । ଗତ ଏପ୍ରିଲ ୪ ରତ୍ନଭଣ୍ଡାର ଯାଞ୍ଚ ପର ଠାରୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି । ଛୋଟମୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ବୟାନ ରଖୁଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ଚୁପ୍ ରହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରତ୍ନ ଭଣ୍ଡାର ଚାବି ନେଇ ଆଇନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ବୟାନରେ ତାଳମେଳ ନରହିବା ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିଛି । ମନ୍ଦିର ପରିଚାଳନା କମିଟିର ମିନିଟ୍ସରେ ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାର ଘର ଚାବି ଜମା ନରହିବା କିମ୍ବା ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ମାତ୍ର ୧୯୭୦ ମସିହାରୁ ଯଦି ଟ୍ରେଜେରୀରେ ଚାବି ନାହିଁ, ତେବେ ୧୯୭୮ ଓ ୧୯୮୫ରେ କେଉଁଠୁ ଚାବି ଆଣି ଭଣ୍ଡାର ଖୋଲାଯାଇଥିଲା, ତାହା ସନ୍ଦେହକୁ ତୀବ୍ର କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀମନ୍ଦିର ସମ୍ପତ୍ତି ସଙ୍କଟରେ ଥିବା ନେଇ ଲୋକେ ବିବ୍ରତ ଥିଲା ବେଳେ ମୁଖ୍ୟମନ୍ତ୍ରୀ କେବେ ଉତ୍ତର ଦେବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ରେ କହିଛନ୍ତି ।

Comments (0)
Add Comment