ଚେନ୍ନାଇ: ତାମିଲ୍ ରାଜନୀତିର ପିତାମହ ଭୀଷ୍ମ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବୟସାଧିକ ସ୍ବାସ୍ଥ୍ୟଗତ କାରଣରୁ ଗତ ଜୁଲାଇ ୨୮ ତାରିଖରୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସୋମବାର ସନ୍ଧ୍ୟାରେ ଡାକ୍ତରଖାନା କର୍ତ୍ତୃପକ୍ଷ ହାତ ଟେକିଦେଲେ । ଡିଏମକେ ସୁପ୍ରିମୋଙ୍କ ଭାଇଟାଲ୍ ଅର୍ଗାନ୍ କାମ କରୁନି ଏବଂ ଆଗାମୀ ୨୪ ଘଣ୍ଟା ତାଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ଡାକ୍ତର । ଆଉ ତା ପରେ ହସ୍ପିଟାଲ୍ ଆଗରେ ଲାଗିଗଲା ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଳି । ହେଲେ ବିଧିର ବିଧାନ ବା କିଏ ଟାଳି ପାରିବ ? ହସ୍ପିଟାଲରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ତଥା କୌଣସି ଭାରତୀୟ ରାଜନୈତିକ ଦଳର ସଭାପତି ଭାବେ ୫୦ ବର୍ଷ ପୂର୍ତ୍ତି କରିଥିବା ବୟୋଜ୍ୟେଷ୍ଠ ରାଜନେତା ମୁଥୁଭେଲ୍ କରୁଣାନିଧି । ରକ୍ତଚାପ କମିଯିବା ପରେ ଜୁଲାଇ ୨୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ଆଉ ୨୯ ତାରିଖ ଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅପ୍ ଆଣ୍ଡ୍ ଡାଉନ୍ ଲାଗି ରହିଲା ।