ଭୁବନେଶ୍ୱର : ତାମିଲନାଡୁ ନାଗିପଟ୍ଟନମ୍ ଜିଲ୍ଲାର ଥିରୁକୁଭାଲାଇ ଗାଁରେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ ଏମ୍. କରୁଣାନିଧି । ତାଙ୍କ ପିଲାବେଳ ନା ଥିଲା ଦକ୍ଷିଣମୂର୍ତ୍ତି, ଆଉ ଡାକ ନା ଥିଲା କାଲାଇଙ୍ଗର୍ । ପିଲାଟି ବେଳୁ କଳା, ସାହିତ୍ୟ, କବିତା, ଡ୍ରାମା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ତେବେ ତାମିଲ ଫିଲ୍ମର ସ୍କ୍ରିନ୍ ରାଇଟର୍ ଭାବେ ସେ ସ୍ବତନ୍ତ୍ର ପ୍ରସିଦ୍ଧି ଲାଭ କରିଥିଲେ । ଆଜାଗିରିସାମିଙ୍କ ଜଷ୍ଟିସ୍ ପାର୍ଟି ମାଧ୍ୟମରେ ମାତ୍ର ୧୪ ବର୍ଷ ବୟସରେ ହିନ୍ଦି ବିରୋଧୀ ଦ୍ରାବିଡ଼ ଆନ୍ଦୋଳନକୁ ଆସିଥିଲେ କରୁଣାନିଧି । ୧୯୫୩ରେ ଡାଲମିଆ କଂପାନିର ସିମେଣ୍ଟ କାରଖାନା ବେଳେ ରାଜନୀତିର ଚର୍ଚ୍ଚାକୁ ଆସିଲେ କରୁଣାନିଧି । କାଲୁକୁଡ଼ିର ନା ଡାଲମିଆପୁରମକୁ ପରିବର୍ତ୍ତନ କରିବାକୁ ତୀବ୍ର ବିରୋଧ କରିଥିଲେ ସେ । ଏହି ବିରୋଧ ବେଳେ ପୋଲିସ୍ ଗୁଳିରେ ୨ ଜଣ ପ୍ରାଣ ହରାଇଥିଲେ ଆଉ ଗିରଫ ହୋଇଥିଲେ କରୁଣାନିଧି ।
୩୩ ବର୍ଷ ବୟସରେ ୧୯୫୭ରେ ପ୍ରଥମ ଥର ପାଇଁ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହେଲେ । ୧୯୬୧ରେ ପାର୍ଟିର କୋଷାଧ୍ୟକ୍ଷ ହେଲେ । ୧୯୬୨ରେ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳ ଉପନେତା ହୋଇଥିଲେ ସେ । ତେବେ ୧୯୬୭ରେ ଡିଏମ
କେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଲେ କରୁଣାନିଧି । ତେବେ ୧୯୬୯ରେ ଡିଏମକେ ପ୍ରତିଷ୍ଠା ସି. ଏନ୍. ଆନ୍ନାଦୁରାଇଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ହେଲେ କରୁଣାନିଧି । ଆନ୍ନାଦୁରାଇଙ୍କ ମୃତ୍ୟୁର ୫ ମାସ ପୂର୍ବରୁ ଡିଏମକେର ସୁପ୍ରିମୋ ହୋଇ ସାରିଥିଲେ କରୁଣାନିଧି । ଆଉ ମୃତ୍ୟୁ ପର୍ଯ୍ୟନ୍ତ ଲଗାତାର ୧୦ଟି ଟର୍ମରେ ୫୦ ବର୍ଷ ପୂର୍ତ୍ତି କରି ଭାରତୀୟ ରାଜନୀତିରେ ରେକର୍ଡ କରିଛନ୍ତି କରୁଣାନିଧି । କେବଳ ୧୯୮୪କୁ ଛାଡ଼ିଦେଲେ ୧୯୫୭ରୁ ୨୦୧୬ ଯାଏଁ ୧୩ଟି ନିର୍ବାଚନ ଲଢ଼ିଛନ୍ତି ସେ । ଆଉ ସବୁଥର ଜିତିଛନ୍ତି ।
ତାମିଲ୍ ରାଜନୀତିକୁ ନେଇ କରୁଣାନିଧି ଚର୍ଚ୍ଚାର ଶୀର୍ଷକୁ ଯାଇଥିବା ବେଳେ କିଛି ପ୍ରସଙ୍ଗରେ ବିବାଦୀୟ ମଧ୍ୟ ହୋଇଛନ୍ତି । ସେତୁ ସମୁଦ୍ରମ୍ ପ୍ରସଙ୍ଗରେ ଭଗବାନ ଶ୍ରୀରାମଙ୍କ ସ୍ଥିତି ଖୋଜି ବିବାଦକୁ ଆସିଥିଲେ ସେ । ସେହିଭଳି LTTE ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଜୈନ୍ କମିଶନଙ୍କ ରିପୋର୍ଟରେ ମଧ୍ୟ ବିବାଦକୁ ଆସିଥିଲେ କରୁଣାନିଧି । LTTEକୁ କରୁଣାନିଧି ଉସୁକାଇଥିବା ଜୈନ୍ କମିଶନ ତାଙ୍କ ରିପୋର୍ଟରେ କହିଥିଲେ ।
ତିନି ଜଣଙ୍କୁ ବିବାହ କରିଛନ୍ତି କରୁଣାନିଧି । ପ୍ରଥମ ସ୍ତ୍ରୀ ପଦ୍ମାବତୀଙ୍କର ମୃତ୍ୟୁ ପରେ ଦୟାଲୁ ଅମଲଙ୍କୁ ଦ୍ବିତୀୟ ବିବାହ କଲେ । ପୁଣି ତୃତୀୟରେ ରଜଥି ଅମଲଙ୍କୁ ବିବାହ କଲେ । ପ୍ରଥମ ସ୍ତ୍ରୀ ପଦ୍ମାବତୀଙ୍କ ପୁଅ ଏମ୍. ମୁଥୁଙ୍କୁ କରୁଣାନିଧି ସମ୍ପୂର୍ଣ୍ଣ ଅଣଦେଖା କରିଥିବା ଅଭିଯୋଗ ହେଉଛି । ତେବେ ଡିଏମକେର ନେତୃତ୍ୱ ପରିବର୍ତ୍ତନ ଉଦ୍ଦେଶ୍ୟରେ ଦ୍ୱିତୀୟ ସ୍ତ୍ରୀ ଦୟାଲୁ ଅମଲଙ୍କ ବଡ଼ ପୁଅ ଏମ୍. ଆଲାଗିରିଙ୍କୁ ପଛ କରି ସାନପୁଅ ଏମ୍. କେ. ଷ୍ଟାଲିନକୁ ଅଧିକ ଗୁରୁତ୍ବ ଦେଇ ଦଳ ମଧ୍ୟରେ ବେଶ୍ ବିବାଦକୁ ଆସିଥିଲେ କରୁଣାନିଧି । ତୃତୀୟ ସ୍ତ୍ରୀ ରଜଥି ଅମଲଙ୍କ ଏକମାତ୍ର ଝିଅ କାନିମୋଇ କିନ୍ତୁ କରୁଣାନିଧିଙ୍କର ଅତି ଆଦରର ରହି ଆସିଛନ୍ତି ।