ଗଞ୍ଜାମ : ଗାଁ ଭିତରେ ପଶିଲେ ହାତୀ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ତେବେ ଗାଁ ପିଲାଏ ସେମାନଙ୍କୁ ରଗେଇ ଦେବାକୁ ଜଣଙ୍କୁ ଆକ୍ରମଣ କରିଛି ଗୋଟେ ହାତୀ । ଗ୍ରହ ତେଜ୍ ବା ହାତୀର ମୁଡ୍, ଦମେ ଫୁଟବଲ୍ ଭଳି ଗଡ଼ାଇବା ପରେ ହାତୀ ଛାଡ଼ି ପଳାଇଲା । ତେଣୁ ବଞ୍ଚି ଯାଇଛନ୍ତି ସଂପୃକ୍ତ ବ୍ୟକ୍ତି । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଆଡ଼ପଡ଼ା ଗାଁରେ ଆଜି ସକାଳୁ ସକାଳୁ ୬ଟିକିଆ ହାତୀ ପଲ ଏମିତି କାଣ୍ଡ କରିଛନ୍ତି ।
ଭୟଙ୍କର ଭାବେ ରାଗି ଯାଇଛନ୍ତି ହାତୀ ପଲ । ପ୍ରାଣ ବିକଳରେ ବିଲଲ ହିଡ଼ ନମାନି ଯିଏ ଯୁଆଡ଼େ ପାରୁଛି ଧାଉଁଛି । କିନ୍ତୁ ହାତୀ ତଡ଼ିବାଲେ ଲାଗିଛନ୍ତି । ସମସ୍ତେ ପଳାଇଲେ । କିନ୍ତୁ ଜଣେ ପଡ଼ିଗଲେ । ଆଉ ତା ପରେ ହାତୀ ଶୁଣ୍ଢରେ ଫୁଟବଲ୍ ଭଳି ଗଡ଼ାଇ ଚାଲିଛି । ଦୂରରେ ଥାଇ ଲୋକେ ହୋ-ହାଲ୍ଲା କରୁଛନ୍ତି । ତେବେ ହାତୀର ମୁଡ୍ ବଦଳିଗଲା କି ସଂପୃକ୍ତ ବ୍ୟକ୍ତିଙ୍କ ଗ୍ରହ ତେଜ୍ ଥିଲା, କିଛି ସମୟ ଗଡ଼ାତଡ଼ା କରିବା ପରେ ହାତୀ ଛାଡ଼ି ପଳାଇଲା । ହାତୀ ଚାଲିଯିବା ପରେ ଆହତ ବ୍ୟକ୍ତିଙ୍କୁ ଲୋକେ ଉଦ୍ଧାର କରିଛନ୍ତି ।
ଗଞ୍ଜାମ ସାମଖେମୁଣ୍ଡି ବ୍ଲକ୍, ଆଡ଼ପଡ଼ା ଗାଁକୁ ଆଜି ଭୋରୁ ଭୋରୁ ପଶି ଆସିଥିଲେ ୬ଟି ହାତୀ । ପାଖ ପାହାଡ଼ରୁ ଗାଁ ଭିତରକୁ ଚାଲି ଆସିଥିଲେ । କଦଳୀ ବାଡ଼ି, ଆଖୁ ବାଡ଼ି ଓ ପନିପରିବା ବାଡ଼ିରେ ପଶି ମନଇଚ୍ଛା ନଷ୍ଟ କଲେ । ଗୀତା ପ୍ରଧାନଙ୍କ ଗୁହାଳ ଭାଙ୍ଗି ଦେଇଥିବା ବେଳେ ପଘା ଛିଣ୍ଡାଇ ଗୋରୁଗାଈ କେଉଁଆଡ଼େ ଚାଲି ଯାଇଛନ୍ତି । ଗାଁ ଲୋକେ ହାତୀଙ୍କୁ ଦେଖିବା ପରେ ହୋ-ହାଲ୍ଲା କରିଥିଲେ । ଭାବିଥିଲେ ହାତୀ ପଳାଇବେ । କିନ୍ତୁ ହାତୀପଲ ରାଗିଗଲେ । ଏମିତି ଅନେକ ସମୟ ହୋ-ହାଲ୍ଲା ପରେ ଲୋକମାନେ ହାତୀଙ୍କୁ ଘଉଡ଼ାଇବାକୁ ପାଖକୁ ଚାଲି ଯାଇଥିଲେ । ଯାହା ହାତୀଙ୍କୁ ଆହୁରି ରଗେଇ ଦେଲା । ହାତୀ ଆକ୍ରମଣରେ କୋଙ୍କରଡ଼ା ଗାଁର ରଘୁନାଥ ମଲ୍ଲିକ ଆହତ ହୋଇଛନ୍ତି । ତାଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ବନବିଭାଗ କର୍ମଚାରୀମାନେ ହାତୀ ପଲଙ୍କୁ ଗାଁରୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ପାଖ ଭୀଷ୍ମଗିରି ନିକଟ ଲଖାରୀ ଜଙ୍ଗଲରୁ ଅନେକ ସମୟରେ ହାତୀପଲ ଏହି ଅଞ୍ଚଳକୁ ପଶି ଆସିଥାନ୍ତି । ଏରେଣ୍ଡ୍ରା, ସାହାସପୁର ଆଦି ଅଞ୍ଚଳରେ ହାତୀପଲ ବ୍ୟାପକ ଉପଦ୍ରବ କରିଥିବା ନଜିର୍ ରହିଛି ।