ଭୁବନେଶ୍ବର : ଦିଲ୍ଲୀ ବୁରାଡିରେ ଘଟିଥିବା ଭୟାନକ ଗଣ ଆତ୍ମହତ୍ୟା ଅନ୍ଧବିଶ୍ବାସର ଏକ ଛାତିଥରା କାହାଣୀ । ଇଶ୍ବରଙ୍କୁ ଭେଟିବା ଲାଗି ସାରା ପରିବାର ଝୁଲି ପଡିଲେ ଏକାଠି । କେବଳ ଆଖିରେ ବାନ୍ଧି ନଥିଲେ, ବୁଦ୍ଧି ବିବେକ ବି ଯେମିତି ଅନ୍ଧାରରେ ବୁଡି ଯାଇଥିଲା । ଶିକ୍ଷିତ, ସଭ୍ୟ, ଆଧୁନିକ ଏକବିଂଶ ଶତାବ୍ଦୀର ଭାରତର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଘଟଣା ଛିଡା କରିଛି ଅନେକ ପ୍ରଶ୍ନ । ଆଜିକୁ ୫ବର୍ଷ ତଳେ ବି ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା ରାଜସ୍ଥାନର ଗାଙ୍ଗପୁରରେ । ସାରା ପରିବାର ଏକାଠି ବସି ଖୁସି ଖୁସି ଖାଇ ଦେଇଥିଲେ ବିଷ । ଅନ୍ଧ ବିଶ୍ୱାସରେ ଏମିତି ଛନ୍ଦି ହୋଇ ଯାଇଥିଲେ ଯେ, ଖୁସି ମୃତ୍ୟୁକୁ ଆପଣାଇ ନେଇଥିଲେ । ବୁରାଡି ଘଟଣାରେ ୧୧ଜଣ ଝୁଲି ପଡିଥିଲେ । ଏହି ଆତ୍ମହତ୍ୟା ପାଇଁ ବେଶ ଆଗରୁ ଚାଲିଥିଲା ପ୍ରସ୍ତୁତି । ଆଉ ସବୁ କିଛି ଟିକିନିଖି ଡାଏରୀରେ ଲେଖା ଚାଲିଥିଲା । ସିସିଟିଭି ଫୁଟେଜ୍ ଆଉ ଡାଏରୀ ଇସାରା କରୁଛି, କେମିତି ଇଶ୍ବରଙ୍କୁ ଭେଟିବାର ପ୍ରବଳ ଇଚ୍ଛା ଆଖି ବାନ୍ଧି ଦେଇଥିଲା । ଏମିତି ଏକ ଅନ୍ଧ ଗଳିରେ ଯାଇ ଏହା ଶେଷ ହୋଇଥିଲା ଯାହା ଶୀତଳ ମୃତ୍ୟୁ ବ୍ୟତିତ ଆଉ କିଛି ନୁହେଁ । ବୁରାଡି ଘଟଣାରେ୧୧ଜଣ ଝୁଲି ପଡିଥିଲେ ସତ, ହେଲେ ଏହା ପଛରେ ଜଣେ ଦୁଇ ଜଣଙ୍କ ହାତ ଥିବା ଜଣା ପଡୁଛି । ସମସ୍ତଙ୍କୁ ମନେଇ ଉସୁକାଇ ଆତ୍ମହତ୍ୟା କିବା ବାଟ ଫିଟାଇ ଦେଇଥିଲେ । ଆଉ ସମସ୍ତେ ଝୁଲି ପଡିଥିଲେ ବେକରେ ରଶି ଲଗାଇ ।
୫ବର୍ଷ ତଳେ ଘଟିଥିଲା ରାଜସ୍ଥାନ ଗାଙ୍ଗପୁରରେ ଏମିତି ଏକ ଏକ ଘଟଣା । ଘରର ବଡ ପୁଅ କଞ୍ଚନ ସିଂ ଅନ୍ୟ ୭ଜଣଙ୍କୁ ମନେଇଥିଲା, ଦେଖାଇଥିଲା କେମିତି ଭେଟି ହେବ ଇଶ୍ବରଙ୍କୁ । ଆଉ ତାପରେ ଆସିଥିଲା ସେହି ଦିନ । ୧୬ମାର୍ଚ୍ଚ ୨୦୧୩ । ସମସ୍ତେ ଏକାଠି ହୋଇଥିଲେ । ହସ ମଜା ଚାଲିଥିଲା । ଆଉ ତାପରେ ସମସ୍ତେ ମିଶି ଖାଇଥିଲେ ବିଷ ଲଡୁ । ଭୟାନକ ବିଷ ସାଇନାଏଡ ମିଶା ଲଡୁ । ଆଉ ଏହି ପୁରା ଘଟଣା ରେକଡିଂଙ୍ଗ ମଧ୍ୟ କରୁଥିଲେ । ଘରେ ସମସ୍ତେ ପାଠ ପଢୁଆ ଥିଲେ । କଞ୍ଚନ ନିଜେ ଥିଲେ ଜଣେ ଫଟୋ ଗ୍ରାଫର, ତାଙ୍କ ଭାଇ ଥିଲା ଇଞ୍ଜିନିୟର । ତାଙ୍କ ସହ ଅଇନ୍ୟମାନେ ବି ସବୁ ପଢୁଆ ଥିଲେ, ସବୁ ବୁଝୁଥିଲେ । ହେଲେ ଯେମିତି ବୁଦ୍ଧି ହଜି ଯାଇଥିଲା । ଇଶ୍ବରଙ୍କୁ ଭେଟିବାର ଇଚ୍ଛାରେ ଏମିତି ମୋହଗ୍ରସ୍ତ ହୋଇଥିଲେ ଯେ ବିଷ କୁ ବି ଅମୃତ ଭାବି ଖାଇ ଦେଇଥିଲେ । ଏଥିରେ ପ୍ରାଣ ହରାଇଥିଲେ କଞ୍ଚନ ସିଂ, ତାଙ୍କ ପତ୍ନୀ, ୩ ପିଲା ଏବଂ ତାଙ୍କ ଭାଇ । ବିଷ ଖାଇବାର କିଛି ମିନିଟ ଭିତରେ ସମସ୍ତେ ଟଳି ପଡିଥିଲେ । ତେବେ ଗୁରୁତର ଅବସ୍ଥାରେ ବଞ୍ଚି ଯାଇଥିଲେ ୩ଜଣ ସୁଇସାଇଡର ଭିଡିଓ ସାମ୍ନାକୁ ଆସିବା ପରେ ଜଣା ପଡିଥିଲା ପୁରା ଘଟଣାକ୍ରମ । ଆଉ ବୁଝା ପଡିଥିଲା କଣ ହୋଇପାରେ ଅନ୍ଧ ବିଶ୍ବାସର ପରିଣତି ।