ଜାନୁୟାରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ, ସଂଶୋଧନ ସମୟ ସେପ୍ଟେମ୍ବର ୧ ତାରିଖଠାରୁ ଅକ୍ଟୋବର ୩୧

ଭୁବନେଶ୍ୱର : ଭାରତର ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ୨୦୧୯ ମସିହା ଜାନୁୟାରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଭିତ୍ତିକରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନୁସାରେ ସେପ୍ଟେମ୍ବର ୧ ତାରିଖ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ । ଏ ସମ୍ପର୍କିତ ଦାବି ଓ ଆପତ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖଠାରୁ ଅକ୍ଟୋବର ୩୧ତାରିଖ ବୁଧବାର ସୁଦ୍ଧା ଦାଖଲ କରାଯାଇପାରିବ । ଦାବି ଓ ଆପତ୍ତିର ଫଇସଲା ନଭେମ୍ବର ୩୦ ତାରିଖ ଶୁକ୍ରବାର କରାଯିବା ପାଇଁ ସ୍ଥିର କରାଯାଇଛି ଏବଂ ୨୦୧୯ ଜାନୁୟାରୀ ୪ ତାରିଖ ଶୁକ୍ରବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆହ୍ୱାନ କ୍ରମେ ଗୁରୁବାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୧୯ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ସମସ୍ତ ଯୋଗ୍ୟବ୍ୟକ୍ତି ବିଶେଷକରି ୨୦୧୯ ଜାନୁୟାରୀ ପହିଲା ସୁଦ୍ଧା ୧୮-୧୯ ବର୍ଷ ବର୍ଗର ଯୁବକ ଯୁବତୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ମହିଳା, ଭିନ୍ନକ୍ଷମ, ଜନଜାତି ବର୍ଗର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଭୋଟର ତାଲିକାରେ ଶତପ୍ରତିଶତ ଭୋଟରଙ୍କ ଫଟୋ ସ୍ଥାନିତ କରିବା ନିମନ୍ତେ ଫଟୋ ନଥିବା ଭୋଟରଙ୍କଠାରୁ ଫଟୋ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବା ସହ ଭୋଟର ତାଲିକାରେ ଥିବା ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଶୋଧନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଜଣେ ଯୋଗ୍ୟ ଭୋଟର ଫର୍ମ ନଂ୬ରେ ନିଜର ରଙ୍ଗିନ ପାସ୍ପୋର୍ଟ ଫଟୋ, ଜନ୍ମତାରିଖ ଏବଂ ବାସସ୍ଥାନ ପ୍ରମାଣପତ୍ର ସହ ସମ୍ପୃକ୍ତ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ପାଖରେ ଦାଖଲ କରିପାରିବେ । ଭୋଟରମାନେ ପ୍ରତି ବ୍ଲକ୍ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ରର ମଧ୍ୟ ସହାୟତା ନେଇପାରିବେ । ଏତଦ୍ବ୍ୟତୀତ ଭୋଟରମାନେ ଙ୍ଗଙ୍ଗଙ୍ଗ.ମରକ୍ଟକ୍ଟକ୍ସସଗ୍ଦଗ୍ଦବ.ଦ୍ଭସମ.ସଦ୍ଭ/ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର. ସଦ୍ଭରେ ଅନ୍ଲାଇନ୍ରେ ମଧ୍ୟ ଆବେଦନ କରିପାରିବେ ଓ ଦରଖାସ୍ତକାରୀମାନେ ଅନ୍ଲାଇନ୍ରେ ଦେଇଥିବା ଦରଖାସ୍ତର ସଦ୍ୟତମ ସ୍ଥିତି ଜାଣିପାରିବେ ।

ଲୋକପ୍ରତିନିଧି ଅଧିନିୟମ, ୧୯୫୦ର ଧାରା ୧୭ରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ବ୍ୟକ୍ତି ଏକାଧିକ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଏକାଧିକ ସ୍ଥାନରେ ନାମ ପଞ୍ଜିକୃତ କରିବା ମଧ୍ୟ ବେଆଇନ୍ । ଏକାଧିକ ସ୍ଥାନରେ ନାମ ପଞ୍ଜିକୃତ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିନିମନ୍ତେ ଉପରୋକ୍ତ ଅଧିନିୟମରେ ଧାରା ୩୧ରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଭୋଟଦାନ କେନ୍ଦ୍ର ନିମନ୍ତେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତାଙ୍କର ଏଜେଣ୍ଟ ନିଯୁକ୍ତ କରିବେ । ଆସନ୍ତା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତି ଭୋଟଦାନ କେନ୍ଦ୍ରରେ ବୁଥ୍ ଲେଭଲ୍ ଏଜେଣ୍ଟ ନିଯୁକ୍ତ କରିବା ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି । ବୁଥ୍ ଲେଭଲ୍ ଏଜେଣ୍ଟ ନିଯୁକ୍ତ କରି ଏହାର ତଥ୍ୟ ଯଥାକ୍ରମେ ଏହି ବିଭାଗ ଓ ସମ୍ପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଅବଗତ ନିମନ୍ତେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି ।

ଏହି ବୈଠକରେ ବହୁଜନ ସମାଜ ପାର୍ଟିର ରବୀନ୍ଦ୍ର ବଡ଼ଜେନା ଓ ନାଥୁରାମ ଦେହୁରି, ଭାରତୀୟ ଜନତା ପାର୍ଟିର ପିତାମ୍ବର ଆଚାର୍ଯ୍ୟ ଓ ସମୀର ମହାନ୍ତି, ସିପିଆଇର ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇଏମ୍ର ଦୁଷ୍ମନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ ଓ ଉକ୍ରଳ କେଶରୀ ରାଉତରାୟ ଏବଂ ବିଜୁ ଜନତା ଦଳର ଶଶିଭୂଷଣ ବେହେରାଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଆର୍ ଯାଦବ ଓ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟାର ଯୋଗଦେଇଥିଲେ ।

Comments (0)
Add Comment