ଭୁବନେଶ୍ବର : ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ସୁନା ଜବତ । ଏଥର କିଲେ କି ଦୁଇ କିଲୋ ନୁହେଁ, ଏକା ଥରକେ ଜବତ ହୋଇଛି ୫ କେଜି ୮୨୦ ଗ୍ରାମ୍ ସୁନା । ପାଦରେ ସେଲୋ ଟେପରେ ଚାଲି, ୩ ଜଣ ଯାତ୍ରୀ, ଏହାକୁ ଚାଲାଣ କରୁଥିବା ବେଳେ ରାଜସ୍ବ ଗୁଇନ୍ଦା ବିଭାଗ ହାତରେ ଧରା ପଡ଼ିଛନ୍ତି ।ପୁଣ ସୁନା ଜବତ । ସୁନା ସ୍ମଗଲିଂର ପ୍ରାଇମ୍ ରୁଟ୍ ପାଲଟିଛି ଭୁବନେଶ୍ବର । ଭୁବନେଶ୍ବର ବିମାନ ବନ୍ଦରରୁ ଏଥର ଜବତ ହୋଇଛି ୫ କେଜି ୮୨୦ ଗ୍ରାମ୍ ସୁନା । ବ୍ୟାଙ୍କକରୁ ଭୁବନେଶ୍ବର ଭାୟା କୁଆଲାଲୁମ୍ପୁର ଦେଇ ୩ ଜଣ ଯାତ୍ରୀ ବେଶ୍ ଅଭିନବ ଶୈଳୀରେ ଏହାକୁ ଚାଲାଣ କରୁଥିଲେ । ପାଦ ତଳେ ସୁନା ବିସ୍କୁଟକୁ ରଖି ସେଲୋ ଟେପ୍ ଗୁଡ଼ାଇ ଦେଇଥିଲେ । ପୁଣି ତା ଉପରେ ମୋଜା ଚଢ଼ାଇ ଦେଇ ବୁଟ୍ ପିନ୍ଧି ଥିଲେ । ଭାବିଥିଲେ କେହି ଜାଣି ପାରିବେନି, ସେମାନେ ଖସିଯିବେ । କିନ୍ତୁ ରାଜସ୍ବ ଗୁଇନ୍ଦା ଆଖିରୁ ଖସି ପାରିଲେନି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରୁ ବାହାରୁ ହିଁ ପାର୍କିଂ ପ୍ଲେସ୍ ପାଖରେ ଧରା ପଡ଼ିଗଲେ ୩ ସୁନା ତସ୍କର୍ ।ଗତ ଶୁକ୍ରବାର ଷ୍ଟ୍ରଲି ବ୍ୟାଗ୍ ଚକରେ ଭର୍ତ୍ତି କରି ଜଣେ ଯାତ୍ରୀ ୩୦୧ ଗ୍ରାମ୍ ୬୦୦ ମିଲିଗ୍ରାମ୍ ସୁନା ଚାଲାଣ କରୁଥିବା ବେଳେ ଧରା ପଡ଼ିଥିଲେ । ଆଉ ଗତକାଲି ଏହି ୫ କେଜି ୮୨୦ ଗ୍ରାମ୍ ସୁନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ୮୨ ଲକ୍ଷ ଟଙ୍କା ହେବ । ୩ ଜଣ ଯାତ୍ରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ରାଜସ୍ବ ଗୁଇନ୍ଦା ବିଭାଗ ।ଅନ୍ତର୍ଜାତୀୟ ମାନ୍ୟତା ପାଇବା ପରେ ଭୁବନେଶ୍ବର ବିମାନ ବନ୍ଦରରୁ ଅନେକ ସମୟରେ ଚୋରା ସୁନା ଜବତ ହେଲାଣି । କେତେବେଳେ ସ୍କ୍ରୁ ଡ୍ରାଇଭରରେ ତ ଆଉ କେତେବେଳେ ମଳଦ୍ବାର ମୁହଁରେ ବ୍ଲାକ୍ ଟେପ୍ ମାରି ସୁନା ଚାଲାଣ କରିବାକୁ ଉଦ୍ୟମ କରିଛନ୍ତି ତସ୍କର୍ । କିନ୍ତୁ ରାଜସ୍ବ ଗୁଇନ୍ଦା ବିଭାଗ କିମ୍ବା କଷ୍ଟମ୍ସ ବିଭାଗ ଆଖିରୁ ଖସିପାରି ନାହାନ୍ତି ।ଗତବର୍ଷ ନଭେମ୍ବର ମାସରୁ ଆଜି ଯାଏଁ ଭୁବନେଶ୍ବର ବିମାନ ବନ୍ଦରରୁ ବିଭିନ୍ନ ପର୍ଯ୍ୟାୟରେ ସୁନା ଜବତ ହୋଇଛି । ଗତ ୭ ମାସରେ ପ୍ରାୟ ୧୨ କେଜିରୁ ଅଧିକ ସୁନା ଜବତ ହେଲାଣି । ବ୍ୟାଙ୍କକ୍ ଓ କୁଆଲାଲୁମ୍ପୁରରୁ ଖସି ଆସୁଛନ୍ତି, କିନ୍ତୁ ଭୁବନେଶ୍ବରରେ ଧରା ପଡୁଛନ୍ତି ।